ହାଇଓ୍ବେରେ ପଛକୁ ପଛ ବାଡେଇ ହେଲା ୬୦ ଗାଡ଼ି

ପେନ୍ନସିଲଭେନିଆ,୨୯।୩: ଆମେରିକାର ପେନ୍ନସିଲଭେନିଆ ହାଇଓ୍ବେରେ ପଛକୁ ପଛ ବାଡ଼େଇ ହୋଇ ୫୦ରୁ ୬୦ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ପ୍ରବଳ ତୁରଷାପାତ ଯୋଗୁ ସ୍କୁକିଲ କାଉଣ୍ଟିରେ ଇଣ୍ଟରଷ୍ଟେଟ୍‌ ୮୧ ହାଇଓ୍ବେରେ ସୋମବାର ସକାଳ ପ୍ରାୟ ୧୦ଟା ୩୦ରେ ଏଭଳି ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ପେନ୍ନସିଲଭେନିଆ ହାଇଓ୍ବେରେ ପ୍ରାୟ ୫୦ରୁ ୬୦ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରକ, ଟ୍ରାକ୍ଟର, ଟ୍ରେଲର୍ସ ଏବଂ କାର ରହିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ତେବେ ଜିରୋ ଭିଜିବିଲିଟି ଯୋଗୁ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି। ଏହି ସିରିଜ୍‌ ଦୁର୍ଘଟଣାର ଭିଡିଓ ୟୁଟ୍ୟୁବରେ ଶେୟାର କରାଯାଇଛି।

ଭିଡିଓରେ ତୁଷାରପାତ ଯୋଗୁ ରାସ୍ତାରେ ବରଫ ଜମି ରହିଥିବାରୁ ଗାଡ଼ିଗୁଡ଼ିକ ନିୟନ୍ତ୍ରଣ ହରାଇ ପରସ୍ପର ସହ ବାଡ଼େଇ ହେଉଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ପରେ କିଛି ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଡ୍ରାଇଭର, ଯାତ୍ରୀ ରାସ୍ତା ପାର୍ଶ୍ୱକୁ ଆସି ଅନ୍ୟ ଚାଳକଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳୁଛି।

Share