ଡ୍ରାଇଭରଙ୍କ ହାତକୁ କଟୁରିରେ ହାଣି ଲୁଟିନେଲେ ୪ ଲକ୍ଷ

ଖୁଣ୍ଟୁଣୀ,୨୫ା୬(ଡି.ଏନ୍‌.ଏ): କଟକ ଜିଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଲିଙ୍ଗାପଦା ଗ୍ରାମ ଲିଙ୍ଗେଇ ଠାକୁରାଣୀ ନିକଟରେ ଗୁରୁବାର ୪ ଦୁର୍ବୃତ୍ତ ଏକ ୪୦୭ ଗାଡ଼ି ଡ୍ରାଇଭର ହାତକୁ ହାଣି ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଗାଡ଼ି ମାଲିକ ବଡ଼ମ୍ବା ଥାନା ବେଲିଆପାଳ ଗ୍ରାମର ଶରତ ସାହୁ ଧବଳେଶ୍ୱର ଫାଣ୍ଡିରେ ଅଭିଯୋଗ କରିବା ପରେ ଉକ୍ତ ଥାନା ଓ ଫାଣ୍ଡି ପୋଲିସ ଡ୍ରାଇଭର ଓ ଜଣେ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚୁରା କରିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି।
ସୂଚନା ମୁତାବକ, ଶରତଙ୍କ ଏକ ତେଜରାତି ଦୋକାନ ରହିଛି। ଗୁରୁବାର ପୂର୍ବାହ୍ନରେ ଶରତ ନିଜ ଗାଡ଼ି ନଂ. (ଓଆର ୦୨ ଏଇ-୧୦୧୭)କୁ ଡ୍ରାଇଭର ନରସିଂହପୁର ଥାନା ଅନ୍ତର୍ଗତ ରଣସିଂହ ଗ୍ରାମର ଅଙ୍କୁଳ ପେଇଲଙ୍କୁ ମ୍ୟାନେଜର ନରସିଂହ ଗୁହାଳ ସାହିର ଅଶୋକ ବେହେରାଙ୍କ ସହ କିଛି ସାମଗ୍ରୀ କିଣିବା ପାଇଁ ୪ଲକ୍ଷ ଟଙ୍କା ଦେବା ସହ ଅଦରକାରୀ ପେଟି ଗାଡ଼ିରେ ନେଇ ମଙ୍ଗୁଳିରେ ବିକ୍ରି ପାଇଁ କହିଥିଲେ। ୨ଟି ପଲ୍‌ସରରେ ପୂର୍ବରୁ ପିଛା କରୁଥିବା ୪ଜଣ ଦୁର୍ବୃତ୍ତ ଲିଙ୍ଗେଇ ଛକଠାରେ ୪୦୭ ଗାଡ଼ିକୁ ଅଟକାଇଥିଲେ। ଏଥିରେ ଜଣେ ଯୁବକ କଟୁରି ଧରି ଆସି ଡ୍ରାଇଭରଙ୍କ ହାତକୁ ହାଣି ପକାଇ ଦେଇଥିବାବେଳେ ଅନ୍ୟଜଣେ ଯୁବକ ମ୍ୟାନେଜରଙ୍କୁ ଆକ୍ରମଣ କରି ୪ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏ ନେଇ ଦୁହେଁ ମାଲିକଙ୍କୁ ଜଣାଇବା ପରେ ମାଲିକଙ୍କ ଅଭିଯୋଗକ୍ରମେ ତଦନ୍ତ ଚାଳିଥିବା ଥାନାଧିକାରୀ ବିଜୟ ବିସି କହିଛନ୍ତି।

Share