ଆତଙ୍କ ଖେଳାଇଲେ ୩ ଦନ୍ତା

କୁଆମରା,୧୭ା୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡିହା ଜଙ୍ଗଲରେ ଥିବା ହାତୀପଲଙ୍କ ମଧ୍ୟରୁ ୩ ଦନ୍ତା ଆସି ଗୋପବନ୍ଧୁନଗର ବ୍ଲକ ପଶୁଦା ପଞ୍ଚାୟତ ବେଲାକୁଟି ଗ୍ରାମରେ ପଶି ଆତଙ୍କ ଖେଳାଇଥିଲେ। ୩ ଦନ୍ତା ଗୁରୁବାର ରାତିରେ ପ୍ରଥମେ କୁଆମରା ଚାଷ ଜମିରେ ପଶିଥିଲେ। କୁଆମରା, କଡଦା ଓ ଚିଲିମା ଗ୍ରାମର ୧୦ ଏକରରୁ ଊର୍ଦ୍ଧ୍ୱ ଚାଷଜମିରେ ପଶି ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଇଥିଲେ। ପରେ କାଳିଆପଦା ଗ୍ରାମ ମୁହଁା ହୋଇଥିଲେ। ସେଠାରେ ବନ ବିଭାଗ ଓ ଗ୍ରାମବାସୀ ସେମାନଙ୍କ ପିଛା କରିବାରୁ ବେଲାକୁଟି ଗ୍ରାମରେ ପଶି ବାଡ଼ି ବଗିଚା ଓ ଚାଷଜମିରେ କ୍ଷତି ଘଟାଇଥିଲେ। ତେବେ ଶୁକ୍ରବାର ରାତିରେ ଲୋକେ ଏକାଠି ହୋଇ ବନ ବିଭାଗ ସହାୟତାରେ ୩ ଦନ୍ତାଙ୍କୁ ଘଉଡ଼ାଇବାରେ ସକ୍ଷମ ହୋଇଥିଲେ। ଶନିବାର ସକାଳେ ଜୟପୁର ସ୍ଥିତ ସୋନ ନଦୀ ଦେଇ ବରଡିହି ପଞ୍ଚାୟତର ଦେବଗଁାକୁ ପଶିଥିଲେ ଓ ସେଠାରେ କିଛି ସମୟ ରହି ପୁଣି ନୀଳଗିରି ମୁହଁା ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହାତୀ ଘଉଡ଼ାଇବାରେ ବନ ବିଭାଗ ନାକେଦମ୍‌ ହୋଇ ପଡ଼ିଥିବା ବେଳେ ପଶୁଦା ଅଞ୍ଚଳରେ ବିଦ୍ୟୁତ୍‌ କାଟ୍‌ ଲାଗି ରହିଥିଲା। ଖବର ପାଇ ଉଦଳା, କୁଆମରା ଓ ଖୁଣ୍ଟା ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀମାନଙ୍କୁ ସୁରକ୍ଷା ଦେବା ସହ ଗତିବିଧିକୁ ଲକ୍ଷ୍ୟ ରଖିଥିବା ଫରେଷ୍ଟର ଧ୍ରୁବ ଚରଣ ବସନ୍ତିଆ କହିଛନ୍ତି। ତେବେ ଧାନ ପାଚି ଆସୁଥିବାରୁ ପୁଣି ଦନ୍ତା ଫେରିବା ଆଶଙ୍କା ନେଇ ଲୋକେ ଚିନ୍ତା ପ୍ରକଟ କରିଛନ୍ତି।