ଦକ୍ଷିଣ ଏସିଆରେ ଟେରର ପ୍ରକ୍ସି, କ୍ୱାଡ୍‌ ନେତାଙ୍କ ମିଳିତ ମତ…

ଓ୍ବାଶିଂଟନ,୨୫।୯: ଦକ୍ଷିଣ ଏସିଆରେ ଟେରର ପ୍ରକ୍ସି ଜାରି ରହିଛି। ଏନେଇ କ୍ୱାଡ୍‌ ନେତାମାନେ ପାକିସ୍ତାନ ଉଦ୍ଦେଶ୍ୟରେ ଏଭଳି ମିଳିତ ମତ ପ୍ରଦାନ କରିଛନ୍ତି। ଆତଙ୍କବାଦ ଉପରେ କ୍ୱାଡ ନେତା ମତପୋଷଣ କରିଛନ୍ତି ଯେ, ଆତଙ୍କବାଦୀ ପ୍ରକ୍ସି ବ୍ୟବହାରକୁ ଆମେ ନିନ୍ଦା କରୁଛୁ ଏବଂ ଆତଙ୍କବାଦୀ ଗୋଷ୍ଠୀକୁ କୌଣସି ଲଜିଷ୍ଟିକ, ଆର୍ଥିକ କିମ୍ବା ସାମରିକ ସମର୍ଥନକୁ ଅସ୍ବୀକାର କରିବା ଉପରେ ଗୁରୁତ୍ୱାରୋପ କରିଛୁ, ଯାହା ସୀମା ଆକ୍ରମଣ ସମେତ ଆତଙ୍କବାଦୀ ଆକ୍ରମଣ ଆରମ୍ଭ କିମ୍ବା ଯୋଜନା ଭଳି କାର୍ଯ୍ୟକଳାପ କ୍ଷେତ୍ରରେ ଲାଗୁ ହେବ। ଆମେରିକା, ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନ ଆଦି କ୍ୱାଡ୍‌ ନେତାମାନେ ଆତଙ୍କବାଦୀ ସଂଗଠନକୁ ସମର୍ଥନ ପ୍ରଦାନ କରାଯାଉଥିବା ସମ୍ବେଦନଶୀଳ ପ୍ରସଙ୍ଗକୁ ବିରୋଧ କରିଛନ୍ତି।

ଶୁକ୍ରବାର  ହ୍ବାଇଟ ହାଉସରେ ପ୍ରଥମ ବ୍ୟକ୍ତିଗତ କ୍ୱାଡ ଶିଖର ସମ୍ମିଳନୀ ପରେ ଜାରି ହୋଇଥିବା ମିଳିତ ବିବୃତ୍ତିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଏବଂ ଅଷ୍ଟ୍ରେଲିଆ ପ୍ରତିପକ୍ଷ ସ୍କଟ ମୋରିସନ କହିଛନ୍ତି ଯେ ସେମାନେ କୂଟନୈତିକ, ଆର୍ଥିକ ସ୍ତରରେ ନିକଟତର ହେବେ।

ଆଫଗାନିସ୍ତାନ ପ୍ରତି ମାନବିକ ଅଧିକାର ନୀତି ଏବଂ ଦକ୍ଷିଣ ଏସିଆରେ ଆତଙ୍କବାଦ ବିରୋଧୀ ତଥା ମାନବିକ ସହଯୋଗକୁ ଅଧିକ ପ୍ରଭାବଶାଳୀ କରିବାକୁ କ୍ୱାଡ୍‌ ନେତା ଗୁରୁତ୍ୱାରୋପ କରିଛନ୍ତି। ମିଳିତ ବିବୃତ୍ତିରେ କୁହାଯାଇଛି ଯେ କ୍ୱାଡ୍‌ ଆତଙ୍କବାଦୀ ପ୍ରକ୍ସି ବ୍ୟବହାରକୁ ନିନ୍ଦା କରୁଛି।

କ୍ୱାଡ ନେତାମାନେ କହିଛନ୍ତି ଯେ ଆଫଗାନିସ୍ତାନକୁ କୌଣସି ଦେଶ ଧମକ ଦେବା କିମ୍ବା ଆକ୍ରମଣ କରିବା କିମ୍ବା ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା କିମ୍ବା ତାଲିମ ଦେବା, କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଯୋଜନା କରିବା କିମ୍ବା ଅର୍ଥ ଦେବା ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ। ଆଫଗାନିସ୍ତାନରେ ଆତଙ୍କବାଦର ମୁକାବିଲା କରିବା ଗୁରୁତ୍ୱକୁ ସେମାନେ ଦୋହରାଇଛନ୍ତି।

Share