ନୂଆଦିଲ୍ଲୀ, ୧୮ା୧୧: ଆତଙ୍କବାଦ ବିଶ୍ୱ ଲାଗି ଏବେ ବଡ଼ ବିପଦ ପାଲଟିଛି। ଆତଙ୍କବାଦୀଙ୍କୁ ସମର୍ଥନ ଓ ସହାୟତା ଦେଉଥିବା ଦେଶକୁ ଦୋଷ ଦେବା ସହ ଏହା ବିରୋଧରେ ମିଳିତ ଲଢ଼େଇର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ଏଥିଲାଗି ମିଳିତ ପଦକ୍ଷେପର ଆବଶ୍ୟକତା ରହିଛି। ଭିଡିଓ କନ୍ଫରେନ୍ସ ଜରିଆରେ ୫ ଦେଶୀୟ ବ୍ରିକ୍ସ ସମ୍ମିଳନୀରେ ଉଦ୍ବୋଧନ ଦେଇ ମୋଦି ପରୋକ୍ଷରେ ପାକିସ୍ତାନ ଓ ଚାଇନାକୁ ସମାଲୋଚନା କରିଛନ୍ତି।
ବ୍ରିକ୍ସ ସମ୍ମିଳନୀରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଅଧ୍ୟକ୍ଷତା କରିଥିବାବେଳେ ଚାଇନା ରାଷ୍ଟ୍ରପତି ଶି. ଜିନ୍ପିଙ୍ଗ, ବ୍ରାଜିଲ ରାଷ୍ଟ୍ରପତି ଜୈର୍ ବୋଲ୍ସୋନାରୋ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମଫୋସା ଯୋଗଦେଇଥିଲେ। ଏହି ଅବସରରେ ମୋଦି ଜାତିସଂଘ ସୁରକ୍ଷା ପରିଷଦ, ବିଶ୍ୱ ବାଣିଜ୍ୟ ସଙ୍ଗଠନ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ସଂସ୍କାର ଜରୁରୀ ବୋଲି ପ୍ରକାଶ କରିଥିଲେ। କରୋନା ମହାମାରୀକୁ ନେଇ ସେ ଭାରତୀୟ ଟିକା ଉତ୍ପାଦନ ଓ ଯୋଗାଣ ମାନବ ଜାତିର ସ୍ବାର୍ଥ ଲାଗି ଉଦ୍ଦିଷ୍ଟ ବୋଲି ମତ ଦେଇଥିଲେ। ଭାରତ ଏଥିଲାଗି ଜୋର୍ଦାର ପ୍ରସ୍ତୁତି ଚଳାଇଛି। ମହାମାରୀ ପରେ ଦେଶ ଦ୍ରୁତ ବିକାଶ ଆଡ଼କୁ ମୁହାଁଇବ ବୋଲି ମୋଦି କହିଥିଲେ।