ନୂଆଦିଲ୍ଲୀ, ୧।୧୨(ପି.ଟି.): ଆତଙ୍କବାଦ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଚ୍ୟାଲେଞ୍ଜ ବୋଲି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ)ରେ ଭାରତ କହିଛି। ଏହି ଭର୍ଚୁଆଲ ବୈଠକରେ ଭାଗନେଇ ଉପରାଷ୍ଟ୍ରପତି ଏମ୍. ଭେଙ୍କାୟା ନାଇଡୁ ମୁଖ୍ୟତଃ ସୀମାପାର ଆତଙ୍କବାଦ ପ୍ରସଙ୍ଗରେ କହିବା ସହ ଏହା ବିରୋଧରେ ମିଳିତ ଲଢ଼େଇ ପାଇଁ ଆହ୍ବାନ ଦେଇଥିଲେ। ପାକିସ୍ତାନକୁ ଇଙ୍ଗିତ କରି ସେ କହିଥିଲେ, କେତେକ ଦେଶ ଆତଙ୍କବାଦକୁ ରାଷ୍ଟ୍ର ନୀତିର ଅଂଶବିଶେଷ କରିଥିବାରୁ ଏହା ଚିନ୍ତାର ବିଷୟ ହୋଇଛି। ଆତଙ୍କବାଦର ମୂଳପୋଛ ହେଲେ ଉକ୍ତ ଅଞ୍ଚଳ ବାସ୍ତବ ସାମର୍ଥ୍ୟକୁ ହୃଦୟଙ୍ଗମ କରିପାରିବ। ଏସ୍ସିଓରେ ଜାଣିଶୁଣି ଦ୍ୱିପାକ୍ଷିକ ପ୍ରସଙ୍ଗ ଉଠାଯିବା ଦୁର୍ଭାଗ୍ୟଜନକ ବୋଲି ଭେଙ୍କିୟା କହିଛନ୍ତି।