Categories: ଜାତୀୟ

ଜମ୍ମୁ-କଶ୍ମୀରରେ କମିଛି ଆତଙ୍କବାଦୀ କାର୍ଯ୍ୟକଳାପ

ନୂଆଦିଲ୍ଲୀ,୧୧।୧: ଜମ୍ମୁ-କଶ୍ମୀରରେ ୨୦୨୦ରେ ଆତଙ୍କବାଦୀ କାର୍ଯ୍ୟକଳାପ କମିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟ ୬୩.୯୩ ପ୍ରତିଶତ କମିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୨୦ ନଭେମ୍ବର ୧୫ ସୁଦ୍ଧା ଘଟିଥିବା ଘଟଣା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆତଙ୍କବାଦୀ ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ଶହୀଦ୍‌ ହେବା ଘଟଣା ୨୯.୧୧ ପ୍ରତିଶତ ହ୍ରାସ ପାଇଛି। ସେହିପରି ସାଧାରଣ ଲୋକଙ୍କ ଆହତ ହେବା ଘଟଣା ୧୪.୨୮ ପ୍ରତିଶତ କମିଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୯ ତୁଳନାରେ ୨୦୨୦ରେ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ କମିଛି। ଜମ୍ମୁ-କଶ୍ମୀର ଏବଂ ଲଦାଖରେ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ରିପୋର୍ଟରେ ପ୍ରକାଶ ପାଇଛି। ଜମ୍ମୁ-କଶ୍ମୀରରେ ୪୮ କେନ୍ଦ୍ରୀୟ ଆଇନ ଏବଂ ୧୬୭ ରାଜ୍ୟ ଆଇନ ପ୍ରଣୟନ କରାଯାଇଛି। ସେହିପରି ଲଦାଖରେ ୪୪ କେନ୍ଦ୍ରୀୟ ଆଇନ ଏବଂ ୧୪୮ ରାଜ୍ୟ ଆଇନର ସଫଳ ପ୍ରଣୟନ କରାଯାଇଥିବା ରିପୋର୍ଟ ସୂଚିତ ହୋଇଛି। ପ୍ରଧାନମନ୍ତ୍ରୀ ସହାୟତା ଯୋଜନା ଅନ୍ତର୍ଗତ ପାକିସ୍ତାନ ଅଧିକୃତ କଶ୍ମୀର ଏବଂ ଚମ୍ବାରୁ ବିସ୍ଥାପିତ ହୋଇଥିବା ୩୬,୩୮୪ ପରିବାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି। ପ୍ରତି ପରିବାରକୁ ୫ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହାଦ୍ୱାରା ୫,୭୬୪ ଶରଣାର୍ଥୀ ପରିବାର ଉପକୃତ ହୋଇପାରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share