Categories: ଜାତୀୟ

୮ଘଣ୍ଟାରେ ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୨।୮:ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲା ସ୍ଥିତ ବିଜବେହାରା ଥାନା ଅଞ୍ଚଳରେ ଶୁକ୍ରବାର ଦ୍ୱିପ୍ରହରରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ବିଜବେହାରା ଅଞ୍ଚଳରେ ପୋଲିସ ଓ ସିଆରପିଏଫ୍‌ର ମିଳିତ ନାକା ଟିମ୍‌ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଛନ୍ତି। ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଉକ୍ତ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ଏନେଇ କଶ୍ମୀର ପୋଲିସ ଟୁଇଟ କରି ସୂଚନା ଦେଇଛି। ଆହତ ପୋଲିସ କର୍ମଚାରୀ ହେଉଛନ୍ତି ବିଜବେହାରାର ଥାନା ମୁଖ୍ୟ। ସେ କୁରକାଦଲରେ ଡ୍ୟୁଟି କରୁଥିଲେ। ବର୍ତ୍ତମାନ ତାଙ୍କୁ ଏସ୍‌ଡିଏଚ୍‌ସ୍‌କୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ୮ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଆତଙ୍କବାଦୀ ଘଟଣା। ଏହା ପୂର୍ବରୁ ଶୁକ୍ରବାର ଭୋରରୁ ବାନ୍ଦିପୋରା ଜିଲାରେ ଆତଙ୍କବାଦୀମାନେ ବିହାରର ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗତ ୧୦ମାସରୁ ଆତଙ୍କବାଦୀମାଦେ ବିହାରର ୭ଜଣ ଲୋକଙ୍କୁ ଗୁଳି କରି ହତ୍ୟା କରିସାରିଲେଣି।

Share