Categories: ଜାତୀୟ

ଶ୍ରୀନଗର ଏଚ୍‌ଏମ୍‌ଟି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ: ୨ଯବାନ ଶହୀଦ

ଶ୍ରୀନଗର,୨୬।୧୧: ମୁମ୍ବାଇର ୨୬/୧୧ ଆକ୍ରମଣକୁ ଆଜି ୧୨ ବର୍ଷ ପୂରିଥିବା ବେଳେ ଜମ୍ମୁ-କଶ୍ମୀର ଶ୍ରୀନଗରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୁରୁବାର ଦ୍ୱିପ୍ରହରରେ ଶ୍ରୀନଗର ଏଚ୍‌ଏମ୍‌ଟି ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୨ଜଣ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏଚ୍‌ଏମ୍‌ଟି ଅଞ୍ଚଳରେ ଆତଙ୍କବାଦୀମାନେ ଆସି ହଠାତ୍‌ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ। ଉକ୍ତ ସ୍ଥାନରେ ଲୋକଙ୍କ ଭିଡ଼ ଯୋଗୁ ସୁରକ୍ଷାକର୍ମୀ ତାଙ୍କ ଉପରେ ପ୍ରତି ଆକ୍ରମଣ କରିପାରି ନ ଥିଲେ। ଯାହାର ସୁଯୋଗ ଉଠାଇ ଆତଙ୍କବାଦୀମାନେ ଆକ୍ରମଣ କରି ସେଠାରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ତେବେ ଆତଙ୍କବାଦୀଙ୍କ ଗୁଳିରେ ୪ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଉଥିବା ବେଳେ ରାସ୍ତାରେ ହିଁ ୨ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ବୋଲି କଶ୍ମୀର ଆଇଜି ସୂଚନା ଦେଇଛନ୍ତି। ତେବେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share