ଶ୍ରୀନଗର,୬।୩: ଶ୍ରୀନଗରର ଅମିରାକଦଲରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆତଙ୍କବାଦୀମାନେ ରବିବାର ଗ୍ରେନେଡ ଫିଙ୍ଗଛନ୍ତି। ଗ୍ରେନେଡ ବିସ୍ଫୋରଣ ଯୋଗୁ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ କର୍ମଚାରୀଙ୍କ ସମେତ ୨୦ ଜଣ ଆହତ ହୋଇଛନ୍ତି। ହଠାତ୍ ବିସ୍ଫୋରଣ ପରେ ଘଟଣାସ୍ଥଳରେ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ପରେ ଅନ୍ୟ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି। ଆତଙ୍କବାଦୀଙ୍କୁ ଏବେ ଖୋଜା ଚାଲିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଛି। ଅମିରାକଦଲର ଚେକପଏଣ୍ଟରେ ସୁରକ୍ଷା ବାହିନୀର ଏକ ଟିମ୍ ରହିଥିଲେ। ଏହି ସମୟରେ ସେମାନଙ୍କ ଉପରେ ଗ୍ରେନେଡ ଆକ୍ରମଣ କରାଯାଇଥିଲା। ଗ୍ରେନେଡ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନ ପାରି ଅନ୍ୟ ଏକ ସ୍ଥାନରେ ବିସ୍ଫୋରଣ ହୋଇଥିଲା।