Categories: ଜାତୀୟ

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର, ୨୧।୯: ଜମ୍ମୁ-କଶ୍ମୀରରେ ସିଆର୍‌ପିଏଫ୍‌ ପାଟ୍ରୋଲିଂ ଦଳ ଉପରେ ସୋମବାର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। କେନ୍ଦ୍ରୀୟ କଶ୍ମୀରର ଶ୍ରୀନଗର ଜିଲାର ନୌଗାମ୍‌ ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଆତଙ୍କବାଦୀମାନେ ୧୧୦ ବାଟାଲିୟନ୍‌ ସିଆର୍‌ପିଏଫ୍‌ ଦଳଙ୍କ ଉପରେ କିଛି ଦୂରରୁ ଆଖିବୁଜା ଗୁଳି ଚାଳନା କରିଥିବା କୁହାଯାଉଛି। ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି। ଫେରାର ଆତଙ୍କବାଦୀଙ୍କ ସନ୍ଧାନ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ସମଗ୍ର ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି। ସୂଚନାଯୋଗ୍ୟ, ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅପରେଶନ ଜାରି ରହିଛି। ଏନେଇ ଆତଙ୍କବାଦୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ବାଧା ଦେବା ଲାଗି ଏଭଳି ଆକ୍ରମଣ କରାଯାଇଥିବା କୁହାଯାଉଛି।

Share