ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ: ୪ଆତଙ୍କବାଦୀ ନିପାତ

କରାଚି,୨୯।୬: କରାଚି ସ୍ଥିତ ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସୋମବାର ଷ୍ଟକ୍‌ ଏକ୍ସଚେଞ୍ଜ ଭିତରକୁ ୪ଜଣ ଆତଙ୍କବାଦୀ ପ୍ରବେଶ କରି ଗ୍ରେନେଡ ମାଡ଼ କରିବା ସହ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଘଟଣାରେ ୪ଆତଙ୍କବାଦୀ ନିହତ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ଓ ୭ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ସକାଳ ୧୧ଟାରେ ଷ୍ଟକ୍‌ ଏକ୍ସଚେଞ୍ଜ ବିଲଡିଂ ଭିତରୁ ୪ଜଣ ଆତଙ୍କବାଦୀ ପ୍ରବେଶ କରି ଗୁଳି ଚଳାଇବା ସହ ଗେଟ୍‌ ସମ୍ମୁଖରେ ଗ୍ରେନେଡ୍‌ ମାଡ଼ କରିଥିଲେ। କିଛି ସମୟ ଧରି ଉକ୍ତ ବିଲଡିଂରେ ସେମାନେ ଆତଙ୍କ ଖେଳାଇଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ରେଞ୍ଜର୍ସ ଯବାନ ପହଞ୍ଚି ଷ୍ଟକ୍‌ ଏକ୍ସଚେଞ୍ଜକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କ ଉପରକୁ ଆକ୍ରମଣ କରିଥିଲେ। ରେଞ୍ଜର୍ସ ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଏହି ଘଟଣାରେ ୫ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ବିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ବିଲଡିଂରେ ଫସି ରହିଥିବା ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ବିଲଡିଂର ଆଖପାଖ ଅଞ୍ଚଳକୁ ସିଲ୍‌ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ସ୍ଥିତି ଏବେ ନିୟନ୍ତ୍ରଣାଧିନ ରହିଛି ବୋଲି କରାଚିର ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

 

 

Share