Categories: ଜାତୀୟ

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଅଖନୁର୍‌ରେ ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୨୦।୧: ଜାନୁୟାରୀ ୨୬ ପୂର୍ବରୁ ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଏଲ୍‌ଓସିସ୍ଥିତ ଅଖନୁର୍‌ର ଖୌର ସେକ୍ଟରରେ ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ସର୍ତକ ସୂଚନା ଦିଆଯାଇଥିଲା। ମାତ୍ର ଆତଙ୍କବାଦୀମାନେ ଭାରତୀୟ ଫରଓ୍ବାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ଗୁଳି ଚାଳନା କରିଥିଲେ। ଏହାର ଜବାବରେ ଭାରତୀୟ ସେନାଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଆତଙ୍କବାଦୀଙ୍କୁ ଅନୁପ୍ରବେଶ ସମୟରେ ସହାୟତା ଯୋଗାଇ ଦେବା ଲାଗି ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ମୋର୍ଟାର ଶେଲିଂ ମାଡ଼ କରାଯାଇଥିଲେ ମଧ୍ୟ ଅନୁପ୍ରବେଶ ଉଦ୍ୟମ ସଫଳ ହୋଇ ନ ଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼ରେ ୪ ଜଣ ଭାରତୀୟ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ରଚିଥିବା ଥିବା ଅନୁମାନ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଏଲ୍‌ଓସିରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି।

Share