ଶ୍ରୀନଗର,୧୬ ।୧୦: ଜମ୍ମୁ-କଶ୍ମୀରରେ ଲାଗାତାର ଭାବେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଚାଲିଛନ୍ତି । ଏହି କ୍ରମରେ ଶନିବାର ପୁରୁଣା ଶ୍ରୀନଗରର ଇର୍ଦଗାହ ଇଲାକାରେ ଆତଙ୍କବାଦୀମାନେ ଜଣେ ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି । ମୃତକ ଜଣକ ହେଲେ ଅରବିନ୍ଦ କୁମାର ଶାହ । ସେ ବିହାରର ବାସିନ୍ଦା । ଶ୍ରୀନଗରରେ ସେ ପାଣିପୁରି ବା ଗୁପଚୁପ ବ୍ୟବସାୟ କରୁଥିଲେ । ତାଙ୍କୁ ଟାର୍ଗେଟ କରି ଗୁଳି କରାଯିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଯାଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ, ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା ଓ ପ୍ରଚୁର ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ।