Categories: ଜାତୀୟ

ଅନନ୍ତନାଗରେ ଗଡ଼ିଲା ଜଣେ ଆତଙ୍କବାଦୀଙ୍କ ମୁଣ୍ଡ: ୩ଯବାନ,ଜଣେ ନାଗରିକ ଆହତ

ଅନନ୍ତନାଗ,୪।୬: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଶନିବାର ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୩ଜଣ ଯବାନ ଓ ଜଣେ ନାଗରିକ ଆହତ ହୋଇଛନ୍ତି। ତେବେ ମୃତ ଆତଙ୍କବାଦୀ ଜଣକ ହିଜ୍‌ବୁଲ ମୁଜାହିଦିନ ଆତଙ୍କବାଦୀ ସଂଗଠନର ନିସାର ଖାଣ୍ଡେ ବୋଲି ଜଣାପଡ଼ିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ ସୁରକ୍ଷାକର୍ମୀ ଅସ୍ତ୍ରଶସ୍ତ୍ର ସହ ଏକେ-୪୭ରାଇଫଲ, ଗୁଳିଗୋଳା ଓ ଆପତ୍ତିଜନକ ସାମଗ୍ରୀ ଜବତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ ଜାରି ରହିଛି। ସୂଚନାଯୋଗ୍ୟ, ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ରିଶିିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇବା ପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ୍‌ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଭୟଭୀତ ହୋଇପଡ଼ି ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀ ଏହାର ପାଲାଟା ଜବାବରେ ପ୍ରତି ଆକ୍ରମଣ କରିଥିଲେ। ତେବେ ପ୍ରାରମ୍ଭିକ ଗୁଳି ବିନିମୟରେ ୩ଜଣ ସେନା କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ। ଏହାପରେ ସୁରକ୍ଷାକର୍ମୀ ପତିଶୋଧ ନେବା ସହ ଆତଙ୍କବାଦୀ ନିସାର ଖାଣ୍ଡେଙ୍କୁ ଏନ୍‌କାଉଣ୍ଟର କରିଥିଲେ। ଅନ୍ୟପଟେ ଆହତଙ୍କୁ ଚିକିତ୍ସା ପାଇଁ ଶ୍ରୀନଗରର ୯୨ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଶନିବାର କଶ୍ମୀର ଜୋନ ଆଇଜି ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଏଚ୍‌ଏମ୍‌ କମାଣ୍ଡର ନିସାର ଖାଣ୍ଡେଙ୍କୁ ହତ୍ୟା କରାଯାଇଛି।

Share