Categories: ଜାତୀୟ

ଆତଙ୍କବାଦୀ ସଂଗଠନରେ ମହିଳା,ନାବାଳକ ମଧ୍ୟ ସାମିଲ…

ଶ୍ରୀନଗର,୨୬।୯ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନା କ୍ରମାଗତ ଭାବେ ଅପରେଶନ ଜାରି ରଖିଛି। ରାଜ୍ୟର ବାରମୁଳା ଜିଲାରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କ ସମର୍ଥନ ନେଟୱାର୍କରେ ଥିବା ୬ ଜଣଙ୍କୁ ସେନା ଗିରଫ କରିଛି। ସେମାନଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଜଣେ ନାବାଳକ ଅଛନ୍ତି। ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସ ମିଳିତ ଭାବେ ଏହି ଅପରେଶନ କରିଥିଲେ।

ଗିରଫ ବ୍ୟକ୍ତିଙ୍କ ନିକଟରୁ ତିନିଟି ପିସ୍ତଲ ଏବଂ ପାଞ୍ଚଟି ହ୍ୟାଣ୍ଡ ଗ୍ରେନେଡ ସମେତ ଅସ୍ତ୍ରଶସ୍ତ୍ର ତଥା ଗୁଳି ଜବତ କରାଯାଇଛି ବୋଲି ପୋଲିସ କହିଛି। ବାରମୁଳାର ବରିଷ୍ଠ ପୋଲିସ ଅଧୀକ୍ଷକ ଆମୋକ ନାଗପୁରେ କହିଛନ୍ତି, ୬ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ସକ୍ରିୟ ଆତଙ୍କବାଦୀ ୟାସିର ଅହମ୍ମଦ ଶାହା ଅଛନ୍ତି। ଜଣେ କିଶୋରଙ୍କ ସମେତ ଅନ୍ୟ ଚାରିଜଣ ତାଙ୍କର ସହଯୋଗୀ ଅଛନ୍ତି।

ବାରମୁଳା ଏସଏସପିଙ୍କ ଅନୁଯାୟୀ ୟାସିର ଅହମ୍ମଦ ଶାହା ଗିରଫ ହେବା ପରେ ସେମାନେ ତାଙ୍କ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ସେ କହିଛନ୍ତି ଆତଙ୍କବାଦୀ ସଂଗଠନରେ ମହିଳାମାନଙ୍କୁ ଏଭଳି କାର୍ଯ୍ୟକଳାପରେ ଲୋଭ ଦେଖାଇ ସାମିଲ କରାଯାଉଛି। କାରଣ ସାଧାରଣତଃ ସେମାନଙ୍କୁ କେହି ସନ୍ଦେହ କରନ୍ତି ନାହିଁ। ନାଗପୁରେ କହିଛନ୍ତି ଏଭଳି କାର୍ଯ୍ୟକଳାପରେ ଜଡିତ ମହିଳା ଏବଂ ନାବାଳକଙ୍କ ପ୍ରତି ପୋଲିସ କୌଣସି ବିନମ୍ରତା ଦେଖାଇବ ନାହିଁ। ଗତ ସପ୍ତାହରେ ଅନନ୍ତନାଗରେ ଘଟିଥିବା ଏନକାଉଣ୍ଟରରେ ତିନିଜଣ ଅଧିକାରୀଙ୍କ ସମେତ ଚାରିଜଣ ସୁରକ୍ଷା କର୍ମୀ ନିହତ ହେବା ପରେ ଜମ୍ମୁ-କଶ୍ମୀରରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପରେ କଡ଼ା ନଜର ରଖାଯାଇଛି।

Share