ସଂସଦରେ ଉତ୍ପାତ କରିଥିବା ବିଦ୍ରୋହୀଙ୍କୁ ମିଳିବ ୧୦ଲକ୍ଷ ଟଙ୍କା ପୁରସ୍କାର! ସୂଚନା ଦେଲେ…

ନୂଆଦିଲ୍ଲୀ,୧୫।୧୨: ଡିସେମ୍ବର ୧୩ ୨୦୨୩ ନୂଆ ସଂସଦ ଭବନରେ ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ହଠାତ୍‌ ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଭିତରକୁ ଡେଇଁଥିଲେ। ଦୁଇଜଣଙ୍କ ହାତରେ ଥିଲା ବିଷାକ୍ତ କାନଷ୍ଟେର ବା ସ୍ମୋକ ଗ୍ୟାସ। ଭିତରେ ପଶିବା ସହ ଦୁଇ ଉପଦ୍ରବକାରୀ ବେଞ୍ଚ ଉପରେ ଚଢି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦୁଇଜଣ ଭାରତ ମାତା କି ଜୟ, ଜୟ ଭୀମ ଇତ୍ୟାଦି ନାରା ଲଗାଇବା ସହ ପୁରା ସଂସଦ ଭବନକୁ ବିଷାକ୍ତ ସ୍ମୋକ ଗ୍ୟାସ ଦ୍ୱାରା ଆଚ୍ଛନ କରିଦେଇଥିଲେ। ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବାବେଳେ ସଂସଦର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ ସଂସଦ ଭବନକୁ କଡାକଡା ସୁରକ୍ଷା ବଳୟରେ ଅଛି ବୋଲି କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି ଏବେ ଏଥିରେ ସନ୍ଦେହ ଜାତ ହୋଇଛି।

ବିଶେଷ କଥା ହେଉଛି ସଂସଦରେ ସୁରକ୍ଷା ତ୍ରୁଟି ଏପରି ଦିନରେ ହୋଇଛି ଯେଉଁଦିନ ୨୦୦୧ ସଂସଦ ଆକ୍ରମଣକୁ ୨୨ବର୍ଷ ପୂର୍ତ୍ତି ହୋଇଛି। ଏହିଦିନ ଆକ୍ରମଣ କରିବା ନେଇ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତଓ୍ବନ୍ତ ପନ୍ନୁ ଧମକ ଦେଇଥିବାବେଳେ ଦେଶର ଗୁଇନ୍ଦା ସଂସ୍ଥା ଏହାକୁ ଗମ୍ଭୀରତାର ସହ ନେଇ ନ ଥିବା ମଧ୍ୟ ଅନୁମାନ କରାଯାଉଛି। ତ୍ରୁଟିରେ ସମ୍ପୃକ୍ତ ୬ଜଣଙ୍କୁ ପୋଲିସ ଗିରଫ କରିଥିଲେ ସୁଦ୍ଧା ପନ୍ନୁର ଚେତାବନୀକୁ ପୂର୍ବରୁ ଗୁରୁତ୍ୱ ନେଇ ନ ଥିବା ମଧ୍ୟ ପ୍ରଶ୍ନ ଉଠୁଛି।

ଘଟଣା ଘଟିବାର ୨ଦିନ ଯାଉଣୁ ପନ୍ନୁ ଆଉ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସଂସଦ ସୁରକ୍ଷା ତ୍ରୁଟି ଘଟେଇଥିବା ବିଦ୍ରୋହୀଙ୍କୁ ୧୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରଛନ୍ତି।
ଗିରଫ ହୋଇଥିବା ୬ବିଦ୍ରୋହୀଙ୍କ ମଧ୍ୟରୁ ତଦନ୍ତବେଳେ ଖଲିସ୍ତାନୀ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ମିଳିନାହିଁ। କିନ୍ତୁ ପନ୍ନୁ ଜାରି କରିଥିବା ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

Share