ପାକିସ୍ତାନ ପାଇଁ ଭସ୍ମାସୁର ପାଲଟିଛନ୍ତି ଆତଙ୍କବାଦୀ, ୬ ମାସରେ ୪୩୪ ଆକ୍ରମଣରେ ୩୨୩ ପାକିସ୍ତାନୀ ସୈନ୍ୟ ମୃତ…

ଇସଲାମାବାଦ, ୩୦।୭ : ପାକିସ୍ତାନର ସୁରକ୍ଷା ଅବସ୍ଥା ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି। କେବଳ ଚଳିତ ବର୍ଷର ପ୍ରଥମ ଛଅ ମାସରେ ସୁରକ୍ଷା ବାହିନୀ ଉପରେ ୪୩୪ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଅତି କମରେ ୩୨୩ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି।

ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ ଅନୁଯାୟୀ ଗୃହମନ୍ତ୍ରୀ ସଂସଦର ଉପର ଗୃହରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ସୁରକ୍ଷା ବାହିନୀ ଉପରେ ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ସର୍ବାଧିକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା।

ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଏଠାରେ ପ୍ରାୟ ୨୪୭ ଆକ୍ରମଣ ହୋଇଥିଲା। ସେହିଭଳି ବାଲୁଚିସ୍ତାନରେ ଛଅ ମାସ ମଧ୍ୟରେ ୧୭୧ ଏବଂ ସିନ୍ଧରେ ୧୨ ଟି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ତେବେ ପଞ୍ଜାବ ପ୍ରଦେଶରେ କମ ଆକ୍ରମଣ ହୋଇଥିଲା। ଏହି ରାଜ୍ୟରେ କେବଳ ଗୋଟିଏ ଆତଙ୍କବାଦୀ ଆକ୍ରମଣ ହୋଇଥିବାବେଳେ ରାଜଧାନୀ ଇସଲାମାବାଦରେ ତିନୋଟି ଆକ୍ରମଣ ହୋଇଥିଲା।

ପାକିସ୍ତାନ ସଂସଦରେ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ସୁରକ୍ଷା ବାହିନୀ ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୭୧୮ ସୈନିକ ଏବଂ ସୁରକ୍ଷା ବାହିନୀର ଅଧିକାରୀ ଏବଂ ଅନ୍ୟାନ୍ୟ ସଂଗଠନ କର୍ମଚାରୀ ଆହତ ହୋଇଥିଲେ।

ଏହି ସମୟରେ, ପାକିସ୍ତାନୀ ଉଲେମାଙ୍କ ଏକ ପ୍ରତିନିଧୀ ଦଳ ନିଷିଦ୍ଧ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି)ସଦସ୍ୟଙ୍କ ସହିତ ଶାନ୍ତି ଆଲୋଚନାରେ ନିଜର ଆଭିମୁଖ୍ୟକୁ ନରମ କରିବା ଲାଗି ମନାଇବାରେ ବିଫଳ ହୋଇଛନ୍ତି। ଶେଖ-ଉଲ-ଇସଲାମ ମୁଫତି ତାକି ଉସମାନିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସି-୧୩୦ ବିମାନରେ କାବୁଲକୁ ଯାଇଥିଲେ। ଏହାର ସ୍ଥିତିକୁ ନରମ କରିବା ପାଇଁ ଶେଷ ଉଦ୍ୟମ କରିବାକୁ ଟିଟିପି ନେତୃତ୍ୱ ବୁଧବାର ପର୍ଯ୍ୟନ୍ତ କାବୁଲରେ ରହିବାର କାର୍ଯ୍ୟକ୍ରମ ରହିଛି।

ଉଲେମା ପ୍ରତିନିଧୀଙ୍କ ଏକ ସୂତ୍ରରୁ ପ୍ରକାଶ ଯେ ଟିଟିପି ନେତୃତ୍ୱ ଧର୍ଯ୍ୟର ସହ ସେମାନଙ୍କ କଥା ଶୁଣିଥିଲେ ମଧ୍ୟ ସେମାନଙ୍କ ଦାବିକୁ ମାନିବାକୁ ମନା କରିଦେଇଥିଲେ। ଏହି ସମୟରେ ପାକିସ୍ତାନ ସରକାର ଟିଟିପି ସହ ଆଲୋଚନା କରି ଶାନ୍ତି ଆଣିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି ଗୋଷ୍ଠୀ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା କରିଛନ୍ତି କିନ୍ତୁ ଏହାର ବିଭିନ୍ନ ଦଳ ସୁରକ୍ଷା ବାହିନୀକୁ ଟାର୍ଗେଟ କରୁଛନ୍ତି।

Share