Categories: ଜାତୀୟ

ଏନ୍‌କାଉଣ୍ଟରରେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା: ଲଞ୍ଚ୍‌ପ୍ୟାଡ୍‌ରେ ସୁଯୋଗ ଉଣ୍ଡି ବସିଛନ୍ତି ୨୫୦

ଶ୍ରୀନଗର,୧୪।୩: ଜମ୍ମୁ-କଶ୍ମୀରରେ ଧୀରେଧୀରେ ଆତଙ୍କବାଦୀ ସଂଗଠନଗୁଡ଼ିକର କାର୍ଯ୍ୟ କଳାପ କମିବାରେ ଲାଗିଛି। ଲଗାତାର ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ସର୍ଚ୍ଚ ଅପରେଶନ୍‌ ଏବଂ ଏନ୍‌କାଉଣ୍ଟର ଯୋଗୁ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ଶନିବାର-ରବିବାର ବିଳମ୍ବିତ ରାତ୍ରରେ ଶୋପିଆନ୍‌ ଜିଲାର ରାଓ୍ବଲପୋରାରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ କରାଯାଇଥିଲା। ଏହାପରେ ସର୍ଚ୍ଚ ଅପରେଶନ୍‌ କରାଯାଇଥିଲା। ରାଜ୍ୟରେ ୨୦୦ ଆତଙ୍କବାଦୀ ସକ୍ରିୟ ରହିଥିବା କଶ୍ମୀର ଜୋନ୍‌ ପୋଲିସ ମହାନିର୍ଦ୍ଦେଶକ ଦିଲ୍‌ବାଗ୍‌ ସିଂ ସୂଚନା ଦେଇଛନ୍ତି। ସେହିପରି ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନରେ ତାଲିମ ନେଇଥିବା ପ୍ରାୟ ୨୫୦ ଆତଙ୍କବାଦୀ ସୁଯୋଗ ଉଣ୍ଡି ବସିଛନ୍ତି। ତେବେ ସୀମାରେ କଡ଼ା ପହରା ସହିତ ଲଗାତାର ପାଟ୍ରୋଲିଂ ଯୋଗୁ ସେମାନଙ୍କ ଅନୁପ୍ରବେଶରେ ବାଧା ସୃଷ୍ଟି ହେଉଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମାର୍ଚ୍ଚ ୧୧ରେ ଅନନ୍ତନାଗଠାରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

Share