ଯାତ୍ରୀବାହୀ ବସ ଉପରେ ଆଖିବୁଜା ମୁଳିମାଡ କଲେ ଆତଙ୍କବାଦୀ: ୮ ମୃତ…

ଇସଲାମାବାଦ,୩।୧୨ : ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ ବାଲ୍ଟିସ୍ତାନ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ କରିଛନ୍ତି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଗିଲଗିଟରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ବସ ଉପରେ ଶନିବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଚିଲାସ ନିକଟରେ ଆକ୍ରମଣ କରାଯାଇଥିଲା।

ଏହି ଆକ୍ରମଣ ପରେ ଡ୍ରାଇଭର ବସର ନିୟନ୍ତ୍ରଣ ହରାଇ ସମ୍ମୁଖ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଚିଲାସର ଡେପୁଟି କମିଶନର ଆରିଫ ଅହମ୍ମଦ କହିଛନ୍ତି ମୃତକଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ପରିଚୟ ମିଳିଛି। ମୃତକଙ୍କ ମଧ୍ୟରେ ଦୁଇଜଣ ସୈନିକ ଅଛନ୍ତି। ଏଥିସହ ଆହତଙ୍କ ମଧ୍ୟରେ ସ୍ବତନ୍ତ୍ର ସୁରକ୍ଷା ୟୁନିଟର ଜଣେ ସୈନିକ ମଧ୍ୟ ଅଛନ୍ତି। ଆହତମାନଙ୍କୁ ନିକଟସ୍ଥ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଆକ୍ରମଣ ପରେ ଆତଙ୍କବାଦୀମାନେ ପଳାଇଥିବା ପୋଲିସ ଅଧିକାରୀ କହିଛନ୍ତି।

Share