Categories: ଜାତୀୟ

ଗୁଳି କରି ପୋଲିସଙ୍କୁ ହତ୍ୟା କଲେ ଆତଙ୍କବାଦୀ…

ଶ୍ରୀନଗର, ୨୪।୫ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୁଣି ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଶ୍ରୀନଗର ଜିଲାର ସୁରା ଅଞ୍ଚଳରେ ଏହି ଆକ୍ରମଣ ଘଟିଛି। ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ପୋଲିସ ସୈଫୁଲ୍ଲା କାଦ୍ରି ଗୁରୁତର ଆହତ ହୋଇଥିଲେ। ଏହି ଆକ୍ରମଣରେ ତାଙ୍କ ୭ ବର୍ଷର ଝିଅ ମଧ୍ୟ ଆହତ ହୋଇଛନ୍ତି।

ଜମ୍ମୁ-କଶ୍ମୀର ପୋଲିସ ସୂତ୍ରରୁ ପ୍ରକାଶ ଯେ ସୈଫୁଲ୍ଲା କାଦ୍ରିଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଡାକ୍ତର ଜିଏଚ ୟାଟୁ କହିଛନ୍ତି ଯେ ଡାକ୍ତରଖାନାରେ ପହଞ୍ଚିବା ପରେ ସାଇଫୁଲ୍ଲା କାଦ୍ରିଙ୍କ ପରୀକ୍ଷା କରାଯାଇଥିଲା। ତେବେ ସେତେବେଳକୂ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ସୈଫୁଲାଙ୍କ ଝିଇଙ୍କର ଅବସ୍ଥା ସ୍ଥିର ରହିଛି। ଘଟଣାର କିଛି ସମୟ ପରେ ପୋଲିସ ଏହି ଅଞ୍ଚଳକୁ କର୍ଡନ କରି ଆତଙ୍କବାଦୀଙ୍କ ସନ୍ଧାନ ଜାରି ରଖିଛି।

ଗତ କିଛି ମାସ ମଧ୍ୟରେ ଆତଙ୍କବାଦୀମାନେ ସ୍ଥାନୀୟ ସେନା ଯବାନ, ପୋଲିସ ଏବଂ ସ୍ଥାନୀୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣକୁ ଜୋରଦାର କରିଛନ୍ତି। କେବଳ ଏତିକି ନୁହେଁ, ଅନ୍ୟ ରାଜ୍ୟର ପ୍ରବାସୀଙ୍କ ଉପରେ ଆକ୍ରମଣ ମଧ୍ୟ ବୃଦ୍ଧି ପାଇଛି।

ଅପରେଶନ ଅଲ ଆଉଟ ଯୋଗୁ ସୁରକ୍ଷା ବାହିନୀଙ୍କ ଉପରେ ପ୍ରତିହିଂସା ପରାୟଣ ବଶତଃ ଆତଙ୍କବାଦୀମାନେ ଏପରି ଆକ୍ରମଣ କରୁଛନ୍ତି ଯାହା ଦ୍ୱାରା ଭୟର ବାତାବରଣ ସୃଷ୍ଟି ହୋଇପାରିବ। କଶ୍ମୀର ପଣ୍ଡିତଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ, ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ଅଂଶଗ୍ରହଣ ମଧ୍ୟ ଆତଙ୍କବାଦୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ତେଣୁ ସେମାନେ ଟାର୍ଗେଟ୍‌ କିଲିଂ ଆରମ୍ଭ କରିଛନ୍ତି।

Share