ଭୁବନେଶ୍ୱର,୬ା୨: ଭାରତରେ ବିଦ୍ୟୁତ୍ ଯାନ (ଇ-ଯାନ) ବିକ୍ରି ପାଇଁ ବିଶ୍ୱର ୧ନଂ. ଧନୀ ଏଲନ୍ ମସ୍କଙ୍କ କମ୍ପାନୀ ଟେସ୍ଲା ଅନେକ ଦାବି ରଖିଛି। ସେଥିମଧ୍ୟରୁ ଟିକସ ହ୍ରାସ ପ୍ରମୁଖ ବୋଲି ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଭାରତ ସରକାର ଟେସ୍ଲାର ଉକ୍ତ ଦାବି ଗ୍ରହଣ କରିବା ପାଇଁ ଆଗ୍ରହ ଦେଖାଉନାହାନ୍ତି ବୋଲି ନିକଟରେ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେହିଭଳି କେନ୍ଦ୍ରୀୟ ପରୋକ୍ଷ କର ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ ବିବେକ ଜୋହରି କହିଛନ୍ତି, ଇ-ଯାନ ପାଇଁ ଦେଶରେ କୌଣସି ପ୍ରତିବନ୍ଧକ ନ ଥିବା ବେଳେ ସରକାର ମଧ୍ୟ ଏହା ଉତ୍ପାଦନ ପାଇଁ ସମସ୍ତଙ୍କୁ ଉତ୍ସାହିତ କରୁଛନ୍ତି। କିନ୍ତୁ ଟେସ୍ଲାର ପ୍ରତିଷ୍ଠାତା ମସ୍କ ଭାରତକୁ ଆମଦାନୀ ହେଉଥିବା ବିଦ୍ୟୁତ୍ ଯାନ ଉପରେ ଆଦାୟ କରାଯାଉଥିବା ୧୦୦% ଟିକସ ହ୍ରାସ ପାଇଁ ଦାବିକରି ଆସୁଛନ୍ତି। ଫଳରେ କମ୍ପାନୀ ବିଦେଶରେ ନିର୍ମିତ ହୋଇଥିବା ଯାନକୁ ଭାରତରେ ବିକ୍ରି କରିପାରିବ। ଟେସ୍ଲା ପକ୍ଷରୁ ଭାରତରେ କାର୍ ଉତ୍ପାଦନ ନେଇ ସେମିତି କିଛି ଯୋଜନା ଉପସ୍ଥାପନ କରାଯାଇନାହିଁ।