ନୂଆଦିଲ୍ଲୀ: ଇଲେକ୍ଟ୍ରିକ କାର ନିର୍ମାଣକାରୀ କମ୍ପାନୀ ଟେସ୍ଲା ଭାରତ ବଜାରରେ ପ୍ରବେଶ କରିବା ଲାଗି ଯୋଜନା ରଖିଛି। କମ୍ପାନୀର ସିଇଓ ଏଲନ ମସ୍କ ଏ ସମ୍ପର୍କରେ ସୋମବାର ସ୍ପଷ୍ଟ କରିଛନ୍ତି। ଭାରତ ପ୍ରବେଶ ଯୋଜନା ୨୦୨୧ରୁ ଆରମ୍ଭ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଭାରତରେ ପ୍ରବେଶ କରିବା ନେଇ କମ୍ପାନୀ ପ୍ରସ୍ତୁତ ବୋଲି ଗତ ସପ୍ତାହରେ ସେ ମତ ପ୍ରକାଶ କରିଛନ୍ତି। ଏହି ଯୋଜନାକୁ ଚୂଡ଼ାନ୍ତ ରୂପ ପ୍ରଦାନ କରିବା ଲାଗି କମ୍ପାନୀର ସେଲ୍ସ ଟିମ୍ ବର୍ତ୍ତମାନ କାର୍ଯ୍ୟକ୍ରମ ଜାରି ରଖିଛି। ଭାରତ ବଜାରରେ ଟେସ୍ଲାର ପ୍ରବେଶ ନେଇ କମ୍ପାନୀ ବିଭିନ୍ନ ପ୍ରୟାସ କରିଆସିଛି। ହେଲେ ଘରୋଇ ବଜାରର ଅନୁକୂଳ ସ୍ଥିତିକୁ ଏହା ଅପେକ୍ଷା କରିଥିବା କୁହାଯାଏ। ଏପଟେ ଟେସ୍ଲାର ଭାରତ ପ୍ରବେଶକୁ ଅନେକ ଫ୍ୟାନ ଅନାଇ ବସିଛନ୍ତି। ମସ୍କଙ୍କର ସ୍ପଷ୍ଟୀକରଣ ପରେ ଗ୍ରାହକଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି।