Categories: ଜାତୀୟ

ସୋମବାର ନୀତୀଶଙ୍କ ଶକ୍ତି ପରୀକ୍ଷା: ବିଧାନସଭା ଭଙ୍ଗ-ରାଷ୍ଟ୍ରପତି ଶାସନ ଜାରି ନେଇ କଳ୍ପନାଜଳ୍ପନା…

ପାଟନା,୧୧।୨ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟର ଶକ୍ତି ପରୀକ୍ଷା ଫେବୃଆରୀ ୧୨ ସୋମବାର ହେବ। ଏହା ପୂର୍ବରୁ ରାଜ ଭବନରେ ବଡ଼ ପରିବର୍ତ୍ତନ କରାଯାଇଛି। ରାଜ ଭବନରେ ଆଇନ ପରାମର୍ଶଦାତାମାନଙ୍କର ସମ୍ପୂର୍ଣ୍ଣ ଦଳ ପରିବର୍ତ୍ତନ କରାଯାଇଛି। ଏହାପୂର୍ବରୁ ନୀତୀଶ କୁମାର ବିଧାନସଭାକୁ ଭଙ୍ଗ କରିବେ ବୋଲି ଆରଜେଡି ବିଧାୟକ ଭାଇ ବିରେନ୍ଦ୍ର ଶନିବାର ଦାବି କରିଥିଲେ। ସେ କହିଥିଲେ ତାଙ୍କ ଦଳ ସୂଚନା ପାଇଛି ନୀତୀଶ କୁମାର ଶକ୍ତି ପରୀକ୍ଷା ପୂର୍ବରୁ ପରାଜୟ ଗ୍ରହଣ କରିପାରନ୍ତି ଏବଂ ରାଜ୍ୟପାଳଙ୍କୁ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିପାରନ୍ତି। ତେବେ ଜେଡିୟୁ ଏବଂ ଭାଜପା ନେତାମାନେ ଏହାକୁ ଅସ୍ବୀକାର କରିଛନ୍ତି।

ଶକ୍ତି ପରୀକ୍ଷା ପୂର୍ବରୁ ବିହାରର ରାଜନୈତିକ ମହଲରେ ଉତ୍ତେଜନା ଦେଖାଦେଇଛି। ସମସ୍ତ ଦଳ ନିଜ ନିଜ ବିଧାୟକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ସୂଚନାନୁସାରେ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ଦଳ ସହିତ ବାମପନ୍ଥୀ ଦଳ ବିଧାୟକଙ୍କୁ ତାଙ୍କ ସରକାରୀ ବାସଭବନରେ ରଖିଛନ୍ତି। ନୀତୀଶ ସଂଖ୍ୟାଗରିଷ୍ଠତା ପ୍ରମାଣ କରି ପାରିବେ ନାହିଁ ଏବଂ ତେଜସ୍ବୀ ଯାଦବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆରଜେଡି ନେତା ମୃତ୍ରୁଞ୍ଜୟ ତିୱାରୀ ଦାବି କରିଛନ୍ତି। ନୀତୀଶ କୁମାରଙ୍କ ଅନେକ ବିଧାୟକ ଆମ ସହ ଯୋଗାଯୋଗରେ ରହିଛନ୍ତି ବୋଲି ସେ କହିଛନ୍ତି।

ବିହାର ବିଧାନସଭାରେ ୩୩୩ ସଦସ୍ୟଙ୍କ ମଧ୍ୟରୁ ସଂଖ୍ୟାଗରିଷ୍ଠତା ପାଇଁ କୁହୁକ ସଂଖ୍ୟା ହେଉଛି ୧୨୨। ବର୍ତ୍ତମାନ ଏନଡିଏରେ ମୋଟ ୧୨୮ ବିଧାୟକ ଅଛନ୍ତି। ସେଥିମଧ୍ୟରୁ ଭାଜପାର ୭୮ ଜଣ ବିଧାୟକ, ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ୪୫ ଜଣ, ହିନ୍ଦୁସ୍ତାନ ଆୱାମ ମୋର୍ଚାର ଚାରିଜଣ ଏବଂ ଅନ୍ୟ ଜଣେ ବିଧାୟକ ଅଛନ୍ତି। ଏଥି ସହିତ ବିରୋଧୀ ଦଳର ୧୧୫ ଜଣ ବିଧାୟକ ଅଛନ୍ତି। ଏଥିମଧ୍ୟରେ ଆରଜେଡିର ୭୯ ବିଧାୟକ, କଂଗ୍ରେସର ୧୯, ସିପିଆଇ (ଏମଏଲ) ର ୧୨, ସିପିଏମ ଏବଂ ସିପିଆଇର ୨ ଜଣ ତଥା ଏଆଇଏମଆଇଏମର ଜଣେ ବିଧାୟକ ଅଛନ୍ତି। ଏଭଳି ପରିସ୍ଥିତିରେ ଫ୍ଲୋର ଟେଷ୍ଟର ଧାରା ନୀତୀଶଙ୍କ ସପକ୍ଷରେ ଥିବା ଜଣାପଡିଛି। ତେବେ ରାଜ୍ୟରେ ବିଧାନସଭା ଭଙ୍ଗ ତଥା ରାଷ୍ଟ୍ରପତି ଶାସନ ଜାରି ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

Share