Categories: ଖେଳ

ଓ୍ବର୍ନଙ୍କ ନାମରେ ଟେଷ୍ଟ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର

ମେଲବୋର୍ନ, ୨୭ା୧୨: କିମ୍ବଦନ୍ତୀ ସ୍ପିନର ଶେନ୍‌ ଓ୍ବର୍ନଙ୍କୁ ସମ୍ମାନିତ କରିବାକୁ ଯାଇ ଏଣିକି ତାଙ୍କ ନାମରେ ଅଷ୍ଟ୍ରେଲିଆର ପୁରୁଷ ଟେଷ୍ଟ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଦିଆଯିବ। ଦେଶର କ୍ରିକେଟ ବୋର୍ଡ ସୋମବାର ଏହା ଘୋଷଣା କରିଛି। ଶେନ୍‌ ଓ୍ବର୍ନ ପୁରୁଷ ଟେଷ୍ଟ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ପ୍ରତିବର୍ଷ ଅଷ୍ଟ୍ରେଲିଆନ କ୍ରିକେଟ୍‌ ଆଓ୍ବାର୍ଡ ବେଳେ ଦିଆଯିବ। କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହକ୍‌ଲେ ଏବଂ ଅଷ୍ଟ୍ରେଲିଆନ କ୍ରିକେଟର୍ସ ଆସୋସିଏଶନ ସିଇଓ ଟଡ୍‌ ଗ୍ରୀନ୍‌ବର ଓ୍ବର୍ନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଦକ୍ଷିଣ ଆଫ୍ରିକା ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ ବେଳେ ପୁରସ୍କାରର ନାମ ପରିବର୍ତ୍ତନ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ଚଳିତବର୍ଷ ପ୍ରାରମ୍ଭରେ ଓ୍ବର୍ନଙ୍କ ଥାଇଲାଣ୍ଡରେ ସନ୍ଦେହଜନକ ହୃଦ୍‌ଘାତରେ ପ୍ରାଣହାନି ଘଟିଥିଲା। ୨୦୦୫ରେ ରେକର୍ଡ ୪୦ ଉଇକେଟ ସଫଳତା ଲାଗି ଓ୍ବର୍ନ ନିଜେ ଏହି ପୁରସ୍କାର ଥରେ ୨୦୦୬ରେ ପାଇଥିଲେ। ଅଷ୍ଟ୍ରେଲିଆନ କ୍ରିକେଟ ଆଓ୍ବାର୍ଡ ଆସନ୍ତା ବର୍ଷ ଜାନୁୟାରୀ ୩୦ରେ ପ୍ରଦାନ କରାଯିବ।

Share