ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ୪-ଟି ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ,୧୬।୭: ଦେଶରେ କେତେକ ରାଜ୍ୟରେ ଲଗାତର ଭାବେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି। ଇତିମଧ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ। ଏହି ଭର୍ଚୁଆଲ ବୈଠକରେ ତାମିଲନାଡ଼ୁ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, କର୍ନାଟକ, କେରଳ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ଏଥିରେ ସମ୍ଭାବ୍ୟ କରୋନାର ତୃତୀୟ ଲହର ଏବଂ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ନେଇ ଆଲୋଚନା ହୋଇଥିଲା। ସମ୍ଭାବ୍ୟ କରୋନା ତୃତୀୟ ଲହରକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦି ୪-ଟି ମନ୍ତ୍ର ଦେଇଛନ୍ତି। ଟେଷ୍ଟ, ଟ୍ରାକ, ଟ୍ରିଟ୍‌ ଓ ଟିକା ଉପରେ ଗୁରୁତ୍ୱ ଦେବାକୁ ମୋଦି କହିଛନ୍ତି। ଅନ୍ୟ ରାଜ୍ୟ ତୁଳାନାରେ କରୋନା ସ୍ଥିତି ଅପେକ୍ଷାକୃତ ଏହି ସବୁ ରାଜ୍ୟରେ ଅଧିକ ଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଧ୍ୟାନ ଦିଆଯିବା ଦେବାକୁ ମୋଦି ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଦେଶର ସବୁ ରାଜ୍ୟଗୁଡ଼ିକରେ ଆଇସିୟୁ ଶଯ୍ୟା ସଂଖ୍ୟା ବଢ଼ାଯିବା ସହ ସବୁ ରାଜ୍ୟରେ ଦୈନିକ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଉ। ଯେଉଁ ଜିଲାମାନଙ୍କରେ ପଜିଟିଭ୍‌ ହାର ଯେତେ ଅଧିକ, ସେହି ଜିଲା ଉପରେ ସେତିକି ଅଧିକ ଫୋକସ କରାଯାଉ। ତେବେ ସଂକ୍ରମଣ ଚେନ୍‌କୁ ଭାଙ୍ଗି ହେବ ବୋଲି ମୋଦି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିଶେଷଜ୍ଞମାନଙ୍କ ମତରେ ଅଧିକ ସମୟ ଧରି ଲଗାତାର ସଂକ୍ରମଣ ବଢ଼ିଲେ କରୋନା ଭାଇରସ୍‌ରେ ପରିବର୍ତ୍ତନର ଆଶଙ୍କା ଅଧିକ ରହିଛି। ଏଥିସହ ନୂଆ ଭାରିଏଣ୍ଟର ବିପଦ ବି ବଢ଼ିଯିବ। ତେଣୁ ତୃତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ ଏବେଠାରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଉକ୍ତ ବୈଠକରେ ମୋଦି କହିଛନ୍ତି।

Share