Categories: ଜାତୀୟ

ଗାଈଙ୍କ ଉପରେ ହେବ ଅନ୍‌ଲାଇନ୍‌ ପରୀକ୍ଷା, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ନୂଆଦିଲ୍ଲୀ,୭।୧: କେନ୍ଦ୍ରୀୟ ପଶୁପାଳନ ବିଭାଗ ଗାଈଙ୍କୁ ନେଇ ଦେଶବ୍ୟାପୀ ପରୀକ୍ଷା କରିବାକୁ ଯାଉଛି। ବାସ୍ତବରେ ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ଅଧୀନରେ ‘ରାଷ୍ଟ୍ରୀୟ କାମଧେନୁ’ ନାମକ ଏକ କମିଶନ ଗଠନ କରାଯାଇଛି।


ଜାତୀୟ କାମଧେନୁ ଆୟୋଗ ଏହାର ପ୍ରଥମ କାମଧେନୁ ଗୋ ବିଜ୍ଞାନ ପ୍ରଚାର ପ୍ରସାର ପରୀକ୍ଷା ଆୟୋଜିତ କରିବାକୁ ଯାଉଛି। ରାଷ୍ଟ୍ରୀୟ କାମଧେନୁ ଆୟୋଗର ଚେୟାରମ୍ୟାନ ବଲ୍ଲଭଭାଇ କାଥିରିୟା କହିଛନ୍ତି, ଏହି ପରୀକ୍ଷା ପ୍ରତିବର୍ଷ କରାଯିବ। ବର୍ତ୍ତମାନ ଗିରିରାଜ ସିଂ କେନ୍ଦ୍ର ପଶୁପାଳନ ଏବଂ ଡାଏରୀ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଛନ୍ତି।
ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଆମେ ୨୫ ଫେବୃୟାରୀରେ ଜାତୀୟସ୍ତରରେ କାମଧେନୁ ଗୋ’ ବିଜ୍ଞାନ ପ୍ରଚାର ପ୍ରସାର ପରୀକ୍ଷା କରିବାକୁ ଯାଉଛୁ। ଗାଈଙ୍କ ଉପରେ ସମ୍ପୂର୍ଣ୍ଣ ବିଜ୍ଞାନ ରହିଛି ଯାହାକୁ ପରୀକ୍ଷା କରାଯିବା ଆବଶ୍ୟକ। ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଟଙ୍କା ଆଣିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।


ଏହି ପରୀକ୍ଷା ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୨ଟି ଆଞ୍ଚଳିକ ଭାଷାରେ କରାଯିବ। କାଥିରିୟା କହିଛନ୍ତି, ୭୪ଟି ଏକାଧିକ ପ୍ରଶ୍ନକୁ ନେଇ କାମଧେନୁ ବିଜ୍ଞାନ ପ୍ରଚାର ପ୍ରସାର ପରୀକ୍ଷା ଅନ୍‌ଲାଇନ୍‌ରେ ହେବ।
ଏହି ପରୀକ୍ଷା ୧ ଘଣ୍ଟା ଏବଂ ଚାରୋଟି ବର୍ଗରେ ହେବ। ଏହି ପରୀକ୍ଷା ପ୍ରାଥମିକ ସ୍ତର (ଅଷ୍ଟମ ମାନକ ପର୍ଯ୍ୟନ୍ତ), ମାଧ୍ୟମିକ ସ୍ତର (ଶ୍ରେଣୀ ୯ରୁ ୧୨ ପର୍ଯ୍ୟନ୍ତ), କଲେଜ ସ୍ତର (ଦ୍ୱାଦଶ ପରେ) ଏବଂ ସାଧାରଣ ଜନତାଙ୍କ ପାଇଁ ହେବ। ଏହି ପରୀକ୍ଷା ପାଇଁ କୌଣସି ପଞ୍ଜୀକରଣ ଶୁଳ୍କ ଆଦାୟ କରାଯିବ ନାହିଁ। ରେଫରେନ୍ସ ବହି ଏବଂ ଅନ୍ୟାନ୍ୟ ଅଧ୍ୟୟନ ସାମଗ୍ରୀ କାମଧେନୁ କମିଶନ ଓ୍ବେବ୍‌ସାଇଟରେ ଉପଲବ୍ଧ ହେବ। ୨୬ ଫେବୃଆରୀ ୨୦୨୧ରେ ପରୀକ୍ଷା ଫଳାଫଳ ଘୋଷଣା କରାଯିବ। ସଫଳ ଅଂଶଗ୍ରହଣକାରୀଙ୍କୁ ନଗଦ ପୁରସ୍କାର ସହ ପ୍ରମାଣପତ୍ର ଦିଆଯିବ।

Share