ବିନା ମେଶିନରେ ଧାନର ମାନ ପରୀକ୍ଷା

ନୟାଗଡ଼ ଅଫିସ,୨୪ା୨: ଧାନକିଣାରେ ମିଲରଙ୍କ କଟ୍‌ନୀଛଟ୍‌ନୀକୁ ରୋକିବାରେ ପ୍ରଶାସନ ବ୍ୟର୍ଥ ହୋଇଛି। କୁଇଣ୍ଟାଲ ପିଛା ୧୦ରୁ୧୫ କେଜି ଧାନ କାଟି ମିଲରଙ୍କୁ ଚାଷୀ ବିକ୍ରି କରିବାକୁ ବାଧ୍ୟ ହେଉଛି। ଧାନ ମଣ୍ଡିରେ ଧାନ ସଫେଇ ମେଶିନ୍‌ ଓ ମଶ୍ଚର ଡିଟେକଶନ ମେଶିନ୍‌ ଥିଲେ ମଧ୍ୟ କାମରେ ଲାଗୁନି । ଧାନର ମାନ ଠିକ୍‌ ଅଛି କହି କଟ୍‌ନୀଛଟ୍‌ନୀକୁ ବିରୋଧ କଲେ ଚାଷୀର ଧାନକୁ ହାତରେ ପରୀକ୍ଷା କରାଯାଇ ମାନ ଠିକ୍‌ ନାହିଁ କହି ହଇରାଣ ହରକତ କରାଯାଉଛି । ପ୍ରତିବାଦ କଲେ ମିଲର ଧାନ ଉଠାଇବ ନାହିଁ କହୁଛି । ଏଣୁ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଧାନ ବିକ୍ରିକୁ ନେଇ ଚାଷୀ କ୍ଷୋଭ,ଅସନ୍ତୋଷ ବ୍ୟକ୍ତ କରିଛି।
ବୁଧବାର ନୟାଗଡ଼ ବ୍ଲକର ବାଲୁଗଁାରେ ଧାନ ମଣ୍ଡିର ପାଳି ଥିଲା। ସେଠାରେ ଚାଷୀଙ୍କଠାରୁ ମିଲର ଧାନର ମାନ ପରୀକ୍ଷା ନ କରି କୁଇଣ୍ଟାଲ ପିଛା ୧୦ ରୁ୨୦ କେଜି ଧାନ କାଟିବା ଆରମ୍ଭ କରିଥିଲା। ଚାଷୀମାନେ ଏହାକୁ ଖୋଲା ଖୋଲି ବିରୋଧ କରି ଧାନର ମାନ ପରୀକ୍ଷା କରି କିଣିବାକୁ ପରାମର୍ଶ ଦେଇଥିଲେ। ହେଲେ ମିଲର ମାନ ପରୀକ୍ଷଣ ନ କରି ଏକଥାଳିରେ କିଛି ଧାନକାଢ଼ି ହାତରେ ଧାନ ବାଛି ଥିଲେ। ମେଶିନ୍‌ ଥାଉ ଥାଉ ହାତରେ କାହିଁକି ଧାନ ପରୀକ୍ଷା କରାଯିବ ବୋଲି ଚାଷୀମାନେ ପ୍ରଶ୍ନ କରିଥିଲେ । ଏପରି କି ହାତରେ ଧାନ ପରୀକ୍ଷା କରିବାକୁ ନିୟମ ଅଛି କି ବୋଲି ପଚାରି ଥିଲେ । ହେଲେ ମିଲର କି ସେଠାରେ ଉପସ୍ଥିତ ଥିବା କୌଣସି କର୍ମଚାରୀ କିଛି ଉତ୍ତର ଦେଇ ନ ଥିଲେ । ଉତ୍ତେଜନା ବଢ଼ିବା ପରେ ମିଲର କୁଇଣ୍ଟାଲ ପିଛା ୭ରୁ ୧୩କେଜି ଧାନ କାଟି ନେଇ ଯାଇଥିଲେ। ମିଲର ଧାନକିଣାକୁ ଚାଷୀମାନେ ବିରୋଧ କରିଥିଲେ ମଧ୍ୟ ବାଧ୍ୟ ହୋଇ ଧାନ ଦେଇଥିଲେ।

ଏନେଇ ବାଲୁଗଁାର ଚାଷୀ ରଣଜିତ୍‌ ଦଳବେହେରା କୁହନ୍ତି, ମଣ୍ଡିରେ ଧାନ ପରୀକ୍ଷା ହେଲା ନାହିଁ। ଅଭିଯୋଗ ପରେ ଧାନର ମାନ ହାତରେ ପରୀକ୍ଷା କରି ଧାନ ନେଲେ । ଧାନ କୁଇଣ୍ଟାଲ ପିଛା ବେପାରୀ ୧ହଜାରରୁ ୧୨ଶହ ମଧ୍ୟରେ କିଣୁଛି । କିନ୍ତୁ ସରକାର ନେଲେ ୧୦ରୁ ୧୫ କେଜି କଟିଲେ ମଧ୍ୟ ଅଧିକ ଅର୍ଥ ମିଳୁଛି । ଚାଷୀ ମଣ୍ଡିକୁ ନେଇ ଧାନ ଫେରାଇ ଆଣିଲେ କିଛି ସୁଫଳ ମିଳିବନି। ଏଣୁ ବାଧ୍ୟହୋଇ ଧାନ ବିକୁଛି । ଚାଷୀର ଅସୁବିଧା ନେଇ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଗଲା। ଜିଲାପାଳ ଆଲୋଚନା କରିବାକୁ କହି ଚାଷୀଙ୍କୁ ଅଣଦେଖା କଲେ। ମଣ୍ଡିରେ କଟ୍‌ନୀଛଟ୍‌ନୀ ହେବନାହିଁ ଜିଲାପାଳ କହିଥିଲେହେଁ ତାଙ୍କ ନିର୍ଦ୍ଦେଶକୁ କେହି ମାନୁ ନାହାନ୍ତି । ଏପରି କି ଜିଲାପାଳ ଚାଷୀଙ୍କ ଅସୁବିଧା ଜାଣି ନୀରବ ରହୁଛନ୍ତି। ଅବସରପ୍ରାପ୍ତ ସମବାୟବିତ୍‌ ବିମଳ ଚନ୍ଦ୍ର ଷଡ଼ଙ୍ଗୀ କୁହନ୍ତି, ଧାନ ମଣ୍ଡିରେ ଧାନ ସଫେଇ ମେଶିନ୍‌ ଓ ମଶ୍ଚର ଡିଟେକଶନ ମେଶିନ୍‌ ରଖାଯାଉଛି। ସଫେଇ ମେଶିନରେ ଧାନ ପକାଗଲେ ବାଲି,ଗୋଡି ମାଟି, ପଥର,ଧୂଳି, ଅଗାଡ଼ି ଅଲଗା ହୋଇଯିବ । ମିଲର ସଫା ଧାନ କିଣିବ । ପୁଣି ମଶ୍ଚର ଡିଟେକଶନ ମେଶିନ୍‌ ବ୍ୟବହାର କଲେ ଧାନର ମାନ ଜଣାପଡିବ । ହେଲେ ପରୀକ୍ଷା ଓ ସଫେଇ ନ କରି ହାତରେ ମାନ ପରୀକ୍ଷଣ କରିବା ଆଇନରେ ନାହିଁ। ଜିଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ଉଚିତ । ନଚେତ ଚାଷୀ ଏଭଳି କ୍ଷତି ସହି ସବୁବେଳେ ଧାନବିକ୍ରି କରି ଚାଲିଥିବ ବୋଲି ସେ କହିଛନ୍ତି ।

Share