ଖୋର୍ଦ୍ଧା ଅଫିସ, ୧୦ା୧୨: ଦେଶୀ ମାଟିରେ ଫଳୁଛି ବିଦେଶୀ ମାଟିର ବରକୋଳି। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଧୀନ ସାନକୁମ୍ଭାରୀ ଗାଁରେ ଥାଇଲାଣ୍ଡର ମିଠା ବରକୋଳି ଫଳୁଛି। ଏହି ଗ୍ରାମର ଦୁଇ ଭାଇ ରମେଶ ସେନାପତି ଓ ସୁବାସ ଚନ୍ଦ୍ର ସେନାପତି ମିଶି ଥାଇଲାଣ୍ଡ ବରକୋଳି ଚାଷ କରୁଛନ୍ତି। ଜୈବିକ ସାର ପ୍ରୟୋଗ କରି ଦୁଇ ଭାଇ ଏହି ଚାଷରୁ ଲାଭାନ୍ବିତ ହେବା ସହ ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି।
ରମେଶ ଓ ସୁବାସ ମିଳିମିଶି ନିଜର ୪ଏକର ଜମିରେ ଥାଇଲାଣ୍ଡ ବରକୋଳି ଚାଷ କରିଛନ୍ତି। ସୋସିଆଲ ମିଡିଆରୁ ଦୁହେଁ ଏହି ଚାଷ ସମ୍ପର୍କରେ ଜାଣିବା ପରେ ଏଥିପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। କୋଲକାତାର ଏକ ନର୍ସରୀରୁ ଅନ୍ଲାଇନରେ ୪ଟି ପ୍ରଜାତି ଯଥା ରେଡ୍ ଆପଲ୍, ଥାଇରେଡ୍ ବଲ୍ ଆପଲ୍, ଥାଇ ରେଡ୍ ସିଡ୍ଲେସ ଏବଂ ଗ୍ରୀନ ବରକୋଳିର ପ୍ରାୟ ୨ହଜାର ଚାରା ମଗାଇ ରୋପଣ କରିଥିଲେ। ରାସାୟନିକ ସାର ପରିବର୍ତ୍ତେ ଜୈବିକ ଖତ ପ୍ରୟୋଗ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଚାରା ରୋପଣର ୪ମାସ ପରେ ଫୁଲ ଧରିବା ଆରମ୍ଭ କରିଥିଲା। ୭ରୁ ୮ ମାସ ପରେ ଗଛ ବଢି ଫଳ ଧରିଛି। ଦୁଇ ଭାଇ ପ୍ରଥମେ ଫଳ ଫଳିବା ନେଇ ଆଶଙ୍କା କରିଥିଲେ, ତେବେ ସେଓ ଅନୁରୁପ ଫଳ ଫଳିବା ଦେଖିବା ପରେ ଆନନ୍ଦିତ ହୋଇଥିଲେ। ଗଛରେ ଝୁଲୁଛି ସବୁଜ ଓ ଲାଲ ରଙ୍ଗର ବରକୋଳି। ଏବେ ଏହି ବରକୋଳି ଚାଷ କରିବାକୁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଆଗ୍ରହ ବଢିଛି।
ରମେଶ କହିଛନ୍ତି, ପ୍ରତି ଗଛର ଉଚ୍ଚତା ପ୍ରାୟ ୮ରୁ ୧୦ ଫୁଟ। ପ୍ରତି ଗଛରୁ ପାଖାପାଖି ୨୦ରୁ ୨୫ କେଜି କୋଳି ବାହାରିବା ଆଶା ରହିଛି। ଗୋଟିଏ ଗ୍ରୀନ ବରକୋଳିର ଓଜନ ପ୍ରାୟ ୭୦ରୁ ୮୦ଗ୍ରାମ ଏବଂ ଳାଲ ବରକୋଳିର ଓଜନ ପ୍ରାୟ ୫୦ରୁ ୭୦ଗ୍ରାମ ରହିବ। ପ୍ରଥମ କରି ସେଓ ଆକାରର ଏହି ବରକୋଳି ବୋଲଗଡ଼ ମାଟିରେ ଫଳିଥିବାରୁ ବଜାରରେ ଭଲ ବିକ୍ରି ହେବ ବୋଲି ସେ ଆଶା କରିଛନ୍ତି। ସେହିପରି ଏହି ଚାଷ ମାଧ୍ୟମରେ ବର୍ଷକୁ ପ୍ରାୟ ୪ରୁ ୫ଲକ୍ଷ ଟଙ୍କା ରୋଜଗାର ଆଶା ରହିଛି। ରମେଶ ଆହୁରି କହିଛନ୍ତି, କରୋନାର ପ୍ରଥମ ଲହରରେ ଲକ୍ଡାଉନ ଓ ଶଟ୍ଡାଉନ ଯୋଗୁ ବହୁ କ୍ଷତି ସହିଥିଲୁ। ବଜାରକୁ ଉପତ୍ାଦିତ ପନିପରିବା ଯାଇପାରିଲା ନାହିଁ। ଖର୍ଚ୍ଚ ତୁଳନାରେ କ୍ଷତି ଅଧିକ ହୋଇ ଗଲା। ଏପଟେ ଋଣଭାର ବଢିଚାଲିଥିଲା। ଏଭଳି ସ୍ଥଳେ ଆମେ ଦୁଇ ଭାଇ କ’ଣ କରିବୁ ବୋଲି ଚିନ୍ତା କରି ଭାଙ୍ଗି ପଡ଼ିିଥିଲୁ। ତେବେ ହଠାତ୍ ଦିନେ ସୋସିଆଲ ମିଡିଆରେ ଏହି ବରକୋଳି ଚାଷ ସମ୍ପର୍କରେ ଜାଣିବାକୁ ପାଇଲୁ। ପୂର୍ବରୁ ଚାଷକାର୍ଯ୍ୟରେ କ୍ଷତି ସହିଥିବାରୁ ଫଳପ୍ରଦ ହେବା ନେଇ ମନରେ ଆଶଙ୍କା ଥିଲା। ଏହାର ଚାରା ମଧ୍ୟ ଓଡ଼ିଶାରେ ଉପଲବ୍ଧ ନ ଥିଲା। ତେବେ ପ୍ରଥମେ ପରୀକ୍ଷାମୂଳକ ଭାବେ ଚାଷ କରିବା ପାଇଁ ଚିନ୍ତା କରି ଆଗକୁ ବଢିଲୁ। ସେହିପରି ତାଙ୍କ ଭାଇ ସନ୍ତୋଷ କହିଛନ୍ତି, କେବଳ ଉଚ୍ଚଶିକ୍ଷା ଲାଭ କରି ଚାକିରୀ ପଛରେ ଦୌଡ଼ିବା ପରିବର୍ତ୍ତେ ନୂତନ ଜ୍ଞାନକୌଶଳ ଏବଂ ଜୈବିକ ପଦ୍ଧତିରେ ଚାଷ କଲେ ସଫଳତା ହାସଲ ସହ ସ୍ବାବଲମ୍ବୀ ହୋଇପାରିବ। କେବଳ ଚାଷଜମିରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ମିଶ୍ରିତ ଚାଷ କଲେ ଚାଷୀ ଲାଭାନ୍ବିତ ହୋଇପାରିବେ। ସେ ଆହୁରି କହିଛନ୍ତି, ପ୍ରତିବର୍ଷ ଅଦିନିଆ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଧାନ ଓ ପନିପରିବା ଚାଷରେ କ୍ଷତି ସହିଲୁ। ଉକ୍ତ ଚାଷ ସମ୍ପର୍କରେ ଜାଣିବା ପରେ ଏଥିପ୍ରତି ମନ ଦେଉଛୁ। ଏହାର ବଜାର ଚାହିଦାକୁ ଦେଖି ଆଗକୁ ବ୍ୟାପକ କରିବାର ଯୋଜନା ରହିଥିବା ସନ୍ତୋଷ ସୂଚନା ଦେଇଛନ୍ତି।