ପ୍ରଧାନମନ୍ତ୍ରୀଙ୍କୁ ଜେଲ ଦଣ୍ଡ ଦେବା ପାଇଁ ଆଦେଶ ଦେଲେ ଏହି ଦେଶର ରାଜା

ବ୍ୟାଙ୍କକକ୍‌,୧।୯: ଥାଇଲାଣ୍ଡର ରାଜା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ ଶିନାୱାତ୍ରାଙ୍କ ଜେଲ ଦଣ୍ଡକୁ ଆଠ ବର୍ଷରୁ ଏକ ବର୍ଷକୁ ହ୍ରାସ କରିଛନ୍ତି। ଶିନାୱାତ୍ରା ଦୀର୍ଘ ୧୫ ବର୍ଷ ପରେ ଦେଶରୁ ନିର୍ବାସନ ହୋଇଥିଲେ। ଥାଇଲାଣ୍ଡର ରାଜା ମହା ଭାଜିରାଲୋଙ୍ଗକର୍ନଙ୍କ ଏହି ନିଷ୍ପତ୍ତି ଶୁକ୍ରବାର ଦିନ ରୟାଲ ଗେଜେଟରେ ପ୍ରକାଶିତ ହୋଇଛି। ଏହା ପରେ ରାଜାଙ୍କର ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି। ୨୦୦୧ ରୁ ୨୦୦୬ଯାଏଁ ଥାକସିନ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଥିଲେ। କ୍ଷମତାରେ ଥାଇ ଭ୍ରଷ୍ଟାଚାର କରିବାରୁ ତାଙ୍କୁ ବହିଷ୍କାର କରାଯାଇଥିଲା। ଏହାପରେ ୨୦୦୮ରେ ଯେତେବେଳେ ତାଙ୍କୁ ୮ବର୍ଷ ଜେଲ ଦଣ୍ଡ ଦିଆଗଲା, ସେ ଥାଇଲାଣ୍ଡ ଛାଡି ପଳାଇଥିଲେ।

ଦୀର୍ଘ ବର୍ଷ ଧରି ବିଦେଶରେ ନିର୍ବାସିତ ହେବା ପରେ ଥାକସିନ ଅଗଷ୍ଟ ୨୨ରେ ଘରକୁ ଫେରିଥିଲେ। କ୍ଷମତାର ଅପବ୍ୟବହାର ଓ ତିନୋଟି ପୃଥକ ମାମଲାରେ ସୁପ୍ରିମକୋର୍ଟ ଥାକସିନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ବ୍ୟତୀତ ବେଆଇନ ଭାବେ ସରକାରୀ ବ୍ୟାଙ୍କକୁ ବିଦେଶୀ ଋଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ଏବଂ ସେ ମନୋନୀତ ବ୍ୟକ୍ତିଙ୍କ ମାଧ୍ୟମରେ ବେଆଇନ ଭାବେ ’ସେୟାର’ ରଖିଥିବା ଅଭିଯୋଗ ହୋଇଛି।

Share