କରୋନା ସଂକ୍ରମଣ ପରେ ଖୋଲିଲା ସ୍କୁଲ: ବାକ୍ସ ଭିତରେ ରହି ପିଲା ପଢିଲେ ପାଠ

ବ୍ୟାଂକକ୍‌,୩।୭: କରୋନା ସଂକ୍ରମଣ ପାଇଁ ସାରା ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିଲା। ଏବେ କିନ୍ତୁ କିଛି ଦେଶରେ ପୁଣିଥରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବା ଆରମ୍ଭ କରିଛି। ତେବେ କରୋନା ଭାଇରସ ସମ୍ପୂର୍ଣ୍ଣ ଭାବେ ଶେଷ ନ ହୋଇଥିବାରୁ ଏବେ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେବାକୁ କୁହାଯାଉଛି। ଆଉ ଏହାର ଏକ ଉଦାହରଣ ଏବେ ଦେଖିବାକୁ ମିଳିଛି ଥାଇଲାଣ୍ଡରେ। ଦୀର୍ଘ ପ୍ରାୟ ୩ ମାସ ପରେ ସେଠାରେ ସ୍କୁଲ ଖୋଲିଥିବା ବେଳେ ପିଲାମାନଙ୍କୁ ସ୍କୁଲରେ ପ୍ରବେଶ କରିବା ପୂର୍ବରୁ ସାନିଟାଇଜେଶନ, ସୋସିଆଲ ଡିଷ୍ଟାନସିଂ, ମାସ୍କ ବ୍ୟବହାର, ଶରୀରର ତାପମାତ୍ରା ଆଦିକୁ ପ୍ରାଧାନ୍ୟ ଦିଆଯାଉଛି। ଏମିତି ପରିସ୍ଥିତିରେ ଥାଇଲାଣ୍ଡର ପାନ୍ଥମ ଥାନିରେ ଥିବା ସମଖୋକ ସ୍କୁଲରେ ପିଲାମାନଙ୍କୁ ଏକ କାର୍ଡବୋର୍ଡ ବକ୍ସ ପଛରେ ବସି ପାଠ ପଢିବାକୁ ପଡୁଛି। ଏହା କରୋନାଠାରୁ ଦୂରେଇ ରଖିବାର ଭଲ ମାଧ୍ୟମ ବୋଲି ସେହି ସ୍କୁଲର ଶିକ୍ଷକ ମତ ଦିଅନ୍ତି। ସୁଚନାଯୋଗ୍ୟ, କରୋନା ସଂକ୍ରମଣରେ ଉକ୍ତ ସ୍କୁଲର ୫୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩,୧୭୩ ଜଣ ସଂକ୍ରମିତ ହୋଇଥିବା କୁହାଯାଏ। ତେଣୁ ଛୋଟ ଛୋଟ ପିଲାଙ୍କୁ କରୋନାଠାରୁ ଦୂରେଇ ରଖିବାକୁ ଏଭଳି ପଦକ୍ଷେପ ନିଆଯାଇଛି।

Share