ବ୍ୟାଙ୍କକ୍, ୮ା୯ (ଏପି): କୋଭିଡ୍-୧୯ ଆଶଙ୍କାରେ ଥୋମାସ ଓ ଉବର କପ୍ରୁ ଥାଇଲାଣ୍ଡ ଓହରିଯାଇଛି। ପୂର୍ବତନ ବିଶ୍ୱ ଚାମ୍ପିୟନ ରାଚାନୋକ୍ ଇଣ୍ଟାନନ, ନମ୍ବର ୩ ର଼୍ୟାଙ୍କିଙ୍ଗ ମିକ୍ସଡ ଡବଲ୍ସ ଯୋଡ଼ି ଦେଚାପଲ ପୁଆଭାରାନୁରୋଖ ଏବଂ ସାପ୍ସିରି ତାଏରାତାଞ୍ଚାଇ ସମେତ ଅନ୍ୟ କେତେଜଣ ଖେଳାଳିଙ୍କ ଅନୁପସ୍ଥିତି ଯୋଗୁ ଟୁର୍ନାମେଣ୍ଟକୁ ଦଳ ପଠାଇବା ସମ୍ଭବ ନୁହେଁ ବୋଲି ଥାଇଲାଣ୍ଡ ବ୍ୟାଡ୍ମିଣ୍ଟନ ଫେଡେରେଶନ କହିଛି। ଖେଳାଳିଙ୍କ ନିଷ୍ପତ୍ତିକୁ ଆମେ ସମ୍ମାନ ଦେଉଛୁ। କାରଣ ସେମାନଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟକୁ ଆମେ ଅଗ୍ରାଧିକାର ଦେଉଛୁ ବୋଲି ଫେଡେରେଶନ ସଭାପତି ଖୁନ୍ୟିଙ୍ଗ୍ ପାଟାମା ଲିସ୍ଓ୍ବାଦତ୍ରାକୁଲ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ବ୍ୟାଡମିଣ୍ଟନ ଓ୍ବାଲର୍ଡ ଫେଡେରେଶନ ଗତ ମାସରେ କହିଥିଲା କରୋନା ମହାମାରୀ ସମୟରେ ବହୁ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ବାତିଲ ଅବା ସ୍ଥଗିତ ରଖାଯାଇଥିବାରୁ ଡେନମାର୍କର ଆରହସ୍ଠାରେ ଥୋମାସ ଓ ଉବର କପ୍ ଫାଇନାଲ୍ସ ଅନୁଷ୍ଠିତ ହେବ।