ମୁମ୍ବାଇ, ୯।୭: ଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଜାରି କରାଯାଇଛି। ତେବେ ଅନ୍ଲକ୍ ଘୋଷଣା କରାଯିବା ପରେ କିଛି ମନ୍ଦିର ଖୋଲାଯାଇଛି। ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଜେଜୁରି ନଗରଠାରେ ଥିବା ଖଣ୍ଡୋଓ୍ବା ମନ୍ଦିର ମଧ୍ୟ ଅନ୍ଲକ୍ରେ ମେ ୨୮ଠାରୁ ଖୋଲିଛି। ମନ୍ଦିରରେ ଘୋଡ଼ା ଉପରେ ବସିଥିବା ଖଣ୍ଡୋଓ୍ବା ମହାଦେବଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ମନ୍ଦିର ଖୋଲିବା ପରେ ଗର୍ଭଗୃହକୁ ନିଆରା ଢ଼ଙ୍ଗରେ ସଜା ଯାଇଥିଲା। ମନ୍ଦିରକୁ ଅଙ୍ଗୁର ସହିତ ବିଭିନ୍ନ ଫଳରେ ସୁନ୍ଦର ଭାବେ ସଜା ଯାଇଥିଲା। ୧୦୧ କ୍ୱିଣ୍ଟାଲରୁ ଅଧିକ ପରିମାଣର ଅଙ୍ଗୁର ଖଣ୍ଡୋଓ୍ବା ମହାଦେବଙ୍କୁ ଲାଗି ହୋଇଥିଲା। ପରେ ଏହାକୁ ଡାକ୍ତରଖାନା ଏବଂ ରିଲିଫ କ୍ୟାମ୍ପ୍ରେ ଥିବା ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଖଣ୍ଡୋଓ୍ବା ମହାଦେବଙ୍କ ସହିତ ମନ୍ଦିରର ଅନ୍ୟ ଦେବାଦେବୀଙ୍କୁ ମଧ୍ୟ ଅଙ୍ଗୁରରେ ସଜା ଯାଇଥିଲା।