ବ୍ରହ୍ମପୁର ଅଫିସ,୮।୪: ବ୍ରହ୍ମପୁର ବୁଢ଼ୀ ସାଆନ୍ତାଣୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାର ୪ର୍ଥ ଦିନ ଶୁକ୍ରବାର ମା’ ଠାକୁରାଣୀଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରିଥିଲା। ଏଥିରେ ପାର୍ଶ୍ୱ ଘଟ ମଧ୍ୟ ରହିଥିଲେ। ରାତ୍ରି ପ୍ରାୟ ୯ଟା ପରେ ମା’ଙ୍କ ଘଟ ଅସ୍ଥାୟୀ ମଣ୍ଡପରୁ ବାହାରିଥିଲା। ପରେ ମହୁରୀ ରାଜବାଟିରେ ରାଜା ଅଶୋକ କୁମାର ନରେନ୍ଦ୍ରଦେବ ମା’ଙ୍କ ଘଟ ପୂଜାର୍ଚ୍ଚନା କରିଥିଲେ। ପରେ ମା’ଙ୍କ ଘଟ ପ୍ରଥମେ ବଡ ବଜାର ଅଞ୍ଚଳରେ ପହଞ୍ଚତ୍ଥିଲା। ଏହାପରେ କମଳାବାରୀ ସାହି, ସାଆନ୍ତାଣୀ ସାହି ଓ ମାର୍ଥାପେଟା ସାହିକୁ ଯାତ୍ରା କରିଥିଲେ। ଘଟ ପରିକ୍ରମା ସମୟରେ ପ୍ରତି ସାହିରେ ଶତାଧିକ ମହିଳା କଳସୀରେ ହଳଦୀ ପାଣି, ଆଳତୀ ଓ ଭୋଗ ଧରି ଅପେକ୍ଷା କରିଥିଲେ। ଘଟ ପରିକ୍ରମା ସମୟରେ ପ୍ରତି ସାହିରେ ନୂଆ ଶାଢି ପକାଯାଇଥିଲା। ମା’ଙ୍କ ଘଟ ଧରିଥିବା ଦେବକୀ ସେହି ଶାଢି ଉପରେ ଚାଲି ଚାଲି ଆସିଥିଲେ। ହଳଦୀ ପାଣିରେ ମହିଳାମାନେ ମା’ଙ୍କ ପାଦ ଧୋଇଥିଲେ। ଏଥିସହ ମୁଖ୍ୟ ଘଟକୁ ଆଳତୀ କରିବା ସହ ମହିଳାମାନେ ଭୋଗରାଗ ମଧ୍ୟ କରିଥିଲେ। ଘଟ ସମସ୍ତ ସାହି ପରିକ୍ରମା କରିବା ପରେ ମାର୍ଥାପେଟା ସାହି ଦେଇ ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପକୁ ଫେରିଥିଲେ। ଅସ୍ଥାୟୀ ମଣ୍ଡପରେ ଆଳତୀ ପରେ ଅନ୍ନ ଭୋଗ କରାଯାଇଥିଲା। ଏହି ସମୟରେ ମାଙ୍କ ଦର୍ଶନ ପାଇଁ ଅସ୍ଥାୟୀ ମଣ୍ଡପ ବାହାରେ ହଜାର ହଜାର ସଂଖ୍ୟକ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା।