ଛତ୍ରପୁର,୪।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଲାଗି ରବିବାର ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ଯାତ୍ରା କମିଟି ମ୍ୟାନେଜର କେ.ଚନ୍ଦ୍ରଶେଖର ରେଡ୍ଡୀଙ୍କ ପୌରହିତ୍ୟରେ ମା’ଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। କୋଭିଡ କଟକଣା ନେଇ ଗତବର୍ଷ ମା’ଙ୍କ ଯାତ୍ରା ବନ୍ଦ ରହିଥିଲା। ହେଲେ ଚଳିତ ବର୍ଷ ଯାତ୍ରା ଜାକଜମକରେ କରିବା ପାଇଁ କମିଟି ସ୍ଥିର କରିଛି । ପୂର୍ବଭଳି ସହରର ବିଭିନ୍ନ ସାହିକୁ ମା’ଙ୍କ ଘଟ ପରିକ୍ରମା ହେବ। ସହରର ବିଭିନ୍ନ ସ୍ଥାନରେ ମେଢ ଏବଂ ମୀନାବଜାରର ଆୟୋଜନ କରିବା ପାଇଁ ଯାତ୍ରା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶୁଭଖୁଣ୍ଟି ସ୍ଥାପନ ଅବସରରେ ଏକ ଶୋଭାଯାତ୍ରା ବାହାରି ଛତ୍ରପୁର ସହର ପରିକ୍ରମା କରାଯାଇଥିଲା। ଶୁଭଖୁଣ୍ଟି ସ୍ଥାପନ ବେଳେ ଛତ୍ରପୁର ଏନ୍ଏସିର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, କମିଟି ଆସିଷ୍ଟାଣ୍ଡ ମ୍ୟାନେଜର ଏମ୍. ସମରେନ୍ଦ୍ର ସେନାପତି, ଯାତ୍ରା କମିଟି ସମସ୍ତ ସଭ୍ୟ, ମହିଳା ଏବଂ ଜନସାଧାରଣ ଉପସ୍ଥିତ ଥିଲେ।