ଶୁଟିଂ ଶେଟ୍‌ରେ ଭେଟିବାକୁ ଆସିଥିବା ପ୍ରଶଂସକଙ୍କ ପ୍ରେମରେ ପଡ଼ିଥିଲେ ଏହି ସାଉଥ୍‌ ଷ୍ଟାର, ଏଭଳି ଥିଲା ଲଭ୍‌ଷ୍ଟୋରୀ

ହାଇଦ୍ରାବାଦ: ତାମିଲ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଜଣେ ହେଲେ ଜୋସେଫ ବିଜୟ ଚନ୍ଦ୍ରଶେଖର ଓରଫ ଥାଲାପତି ବିଜୟ। ଦୁଇ ଦଶନ୍ଧି ଧରି ସେ ଅଭିନୟ କରି ଆସୁଛନ୍ତି। ସେ ପାଖାପାଖି ୬୫ ଫିଲ୍ମରେ ଅଭିନୟ କରିଥିବା ବେଳେ ସବୁଗୁଡ଼ିକ ହିଟ୍‌ ହୋଇଛି। ସେଥିରୁ କିଛି ବକ୍ସ ଅଫିସରେ କରିଛି ରେକର୍ଡ। ତେବେ କେବଳ ଯେ ଅଭିନୟ ତାହା ନୁହେଁ ବରଂ ସେ ଜଣେ ଭଲ ନୃତ୍ୟଶିଳ୍ପୀ। ଆଜି ଅର୍ଥାତ ଜୁନ ୨୨ରେ ଏହି ଅଭିନେତା ନିଜର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ବ୍ୟକ୍ତିଗତ ଜୀବନ ଦେଖିଲେ ବିଜୟ ଜଣେ ପ୍ରଶଂସକଙ୍କୁ ବିବାହ କରିଛନ୍ତି। ଚକିତ କଲେ ହେଁ କଥାଟି ସତ। ସେ ମହିଳା ପ୍ରଶଂସକ ସଙ୍ଗୀତା ସୋର୍ଣ୍ଣଲିଙ୍ଗମଙ୍କ ହାତ ଧରିଛନ୍ତି। ସେତେବେଳେ ସେ ବଡ଼ ଷ୍ଟାର ନ ଥିଲେ। ସମୟ ସହ ତାଳଦେଇ ସେ ମନୋରଞ୍ଜନଜଗତରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିବାରେ ସଫଳ ହୋଇଛନ୍ତି।

ସଙ୍ଗୀତା ଥାଲାପତି ବିଜୟଙ୍କୁ ଫିଲ୍ମ ‘ପୂର୍ବେ ଉନ୍‌କ୍କଗା ଲାଗି ଅଭିନନ୍ଦନ ଜଣାଇବାକୁ ଆସିଥିଲେ। ୧୯୯୬ରେ ରିଲିଜ ହୋଇଥିବା ଏହି ଫିଲ୍ମ କେବଳ ଭାରତରେ ନୁହେଁ ବରଂ ବିଦେଶରେ ହିଟ୍‌ ହୋଇଥିଲା। ପ୍ରଥମ ଦେଖାରେ ହିଁ ବିଜୟ ସଙ୍ଗୀତାଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲେ। ତାଙ୍କୁ ଭେଟିବାକୁ ସଙ୍ଗୀତା ଲଣ୍ଡନରୁ ଭାରତ ଆସିଥିବା ଜାଣି ଅଭିନେତା ଖୁସି ହୋଇଯାଇଥିଲେ। ସେହି ଦିନ ସନ୍ଧ୍ୟାରେ ତାଙ୍କ ଘରକୁ ଆସିବା ଲାଗି ସେ ସଙ୍ଗୀତାଙ୍କୁ କହିଥିଲେ। ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଏବଂ ଏହା ପ୍ରେମରେ ପରିଣତ ହୋଇଯାଇଥିଲା। ଦୀର୍ଘ ତିନି ବର୍ଷ ପରସ୍ପରକୁ ଡେଟ୍‌ କରିବା ପରେ ସେମାନେ ବିବାହ କରିଥିଲେ। ୧୯୯୯ ଅଗଷ୍ଟ ୨୫ରେ ଖ୍ରିଷ୍ଟିଆନ୍‌ ରୀତିନୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ଏବେ ଦୁହେଁ ବେଶ ଖୁସିରେ ବୈବାହିକ ଜୀବନ ବିତାଉଛନ୍ତି।

Share