Categories: ଜାତୀୟ

ଥାନା ବାବୁଙ୍କ ଦାଦାଗିରି: ନ ନାଚିଲେ ଦାଏର ହେବନି ମାମଲା

କାନପୁର, ୧୮।୮: ଆଇନର ରକ୍ଷକ ସାଜିଥିବା ପୋଲିସଙ୍କ ପାଖକୁ ଲୋକେ ସହାୟତା ମାଗିବାକୁ ଯାଇଥାନ୍ତି। ଏପରିସ୍ଥଳେ ପୋଲିସ ଯଦି ଲୋକଙ୍କୁ ହଇରାଣ କରେ ତେବେ ତାହା ଆଇନର ଉଲ୍ଲଂଘନ ବୋଲି କୁହାଯାଇଥାଏ। ଉତ୍ତରପ୍ରଦେଶର କାନପୁରରେ ଜଣେ ଥାନା ବାବୁ ପୀଡ଼ିତାଙ୍କୁ ହଇରାଣ କରିଥିବା ଅଭିଯୋଗ ହୋଇଛି। ଜଣେ କିଶୋରୀ ସ୍ଥାନୀୟ ଗୋବିନ୍ଦନଗର ଥାନାକୁ ତାଙ୍କ ଉପରେ ହୋଇଥିବା ନିର୍ଯାତନା ସମ୍ପର୍କରେ ଥାନାରେ ମାମଲା ଦାଏର କରିବାକୁ ଆସିଥିଲେ। ତେବେ ଥାନାବାବୁ ଜଣକ କିଶୋରୀଙ୍କୁ ନାଚି ବାକୁ କହିଥିଲେ। ନ ନାଚିଲେ ମାମଲା ଦାଏର ହେବନି ବୋଲି ଥାନାବାବୁ ରୋକଠୋକ୍‌ କହିଥିଲେ। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଘଟଣା ସମ୍ପର୍କରେ ମାନବାଧିକାର କମିଶନ ପକ୍ଷରୁ ଡିଜିପିଙ୍କଠାରୁ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଲୋଡ଼ାଯାଇଛି। କିଶୋରୀ ଜଣକ ଭଡ଼ାଘରେ ରହୁଥିବା କୁହାଯାଉଛି। ମାଲିକଙ୍କ ପୁତୁରା ବାରମ୍ବାର ତାଙ୍କ ପ୍ରତି ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରୁଥିବା କିଶୋରୀ ଜଣକ ଅଭିଯୋଗ କରିଛନ୍ତି। ତେବେ ଏନେଇ ଥାନାବାବୁ ମାମଲା ଦାଏର କରିବା ବଦଳରେ କିଶୋରୀଙ୍କୁ ନାଚିବାକୁ କହିଥିଲେ। l ତେବେ ଥାନା ପକ୍ଷରୁୁ କୁହାଯାଇଛି ଯେ, ପୋଲିସ ଉପରେ ଚାପ ପକାଇବା ପାଇଁ ଜାଣିଶୁଣି ଭିଡ଼ିଓ ଭାଇରାଲ କରାଯାଉଛି।

Share