Categories: ଜାତୀୟ

ବଞ୍ଚିଥିବା ଶିକ୍ଷକଙ୍କୁ ଡକାଗଲା ତାଙ୍କ ମୃତ୍ୟୁ ସାର୍ଟିଫିକେଟ ପାଇଁ

ଠାଣେ,୨।୭: ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ ଥିବା ଜଣାଇବା ପାଇଁ ଠାଣେର ମ୍ୟୁନିସିପାଲ କର୍ପୋରେଶନ ଅଫିସରୁ ଜଣେ ୫୫ ବର୍ଷୀୟ ଶିକ୍ଷକଙ୍କୁ ଆସିଥିଲା ଫୋନ କଲ୍‌। ଶିକ୍ଷକ ଜଣଙ୍କ ଯୁକ୍ତିରେ ଦର୍ଶାଇଥିଲେ ସେ ବଞ୍ଚିଛନ୍ତି। କିନ୍ତୁ କିଛି ଲାଭ ମିଳି ନ ଥିଲା। ଜୀବିତ ଥିବା ଦର୍ଶାଇବା ପାଇଁ ତାଙ୍କୁ ପହଞ୍ଚିବାକୁ ପଡ଼ିଥିଲା ମ୍ୟୁନିସିପାଲ ଅଫିସରେ।

ଚନ୍ଦ୍ରଶେଖର ଦେଶାଇ ମୁମ୍ବାଇ ଘାଟକୋପର ଅଞ୍ଚଳର ଏକ ସ୍କୁଲରେ ଶିକ୍ଷକତା କରନ୍ତି। ଗତ ବର୍ଷ ସେ କରୋନାରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିଲେ ମେଡିକାଲରେ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ କୋଭିଡ୍‌ ଜଟିଳତାରେ ଦେଶାଇଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇଥିଲା ଠାଣେ ମ୍ୟୁନିସିପାଲ କର୍ପୋରେଶନର ରେକର୍ଡ।

”ମୁଁ କହିଲି ମୁଁ ବଞ୍ଚିଛି। ତୁମେ ଏଭଳି କଥା କାହିଁକି କହୁଛ। ସେମାନେ କହିଲେ, ଆମ ପାଖରେ ରେକର୍ଡ ଅଛି, ଯେଉଁଥିରେ ତୁମକୁ ମୃତ ଘୋଷଣା କରାଯାଇଛି। ଚିନ୍ତା କରନ୍ତୁ, ଯଦି ମୋ ୮୦ ବର୍ଷୀୟା ମା’ କିମ୍ବା ସ୍ତ୍ରୀଙ୍କ ପାଖକୁ ଏହି ଫୋନ କଲ ଯାଇଥାନ୍ତା, ତେବେ କ’ଣ ହୋଇଥାନ୍ତା ବୋଲି ଦେଶାଇ କହିଛନ୍ତି। ତେବେ ନିଜ ଦୋଷ ସ୍ବୀକାର କରିଛନ୍ତି ମ୍ୟୁନିସିପାଲ କର୍ତ୍ତୁପକ୍ଷ। ଆମେ ମୃତକଙ୍କ ତାଲିକା ପ୍ରସ୍ତୁତ କରି ନାହୁଁ। ଯାଞ୍ଚ ବିନା ଆଉ କାହାକୁ କଲ କରାଯିବ ନାହିଁ ବୋଲି କହିଛନ୍ତି ଅତିରିକ୍ତ ମ୍ୟୁନିସିପାଲ କମିଶନର ସନ୍ଦୀପ ମାଲଓ୍ବି।

Share