Categories: ଜାତୀୟ

‘ଥ୍ୟାଙ୍କ ୟୁ, ପୁଣି ମଙ୍ଗଳବାର ଦେଖାହେବ’, କେଜରିଓ୍ବାଲଙ୍କ ଜାମିନ ଆବେଦନ ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଲେ କୋର୍ଟ

ନୂଆଦିଲ୍ଲୀ,୫।୯: ସୁପ୍ରିମକୋର୍ଟ ଗୁରୁବାର ଦିଲ୍ଲୀର ମଦ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ବର୍ତ୍ତମାନ ଅରବିନ୍ଦ କେଜରିୱାଲ ପୁଣି ଜେଲରେ ରହିବେ। ଏହି ପ୍ରସଙ୍ଗରେ ନିଷ୍ପତ୍ତି ୧୦ସେପ୍ଟେମ୍ବର ୨୦୨୪ରେ ଆସିପାରେ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୁରୁବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ମଦ ଦୁର୍ନୀତିରେ ସିବିଆଇ ତାଙ୍କୁ ପ୍ରାୟ ଦୁଇ ବର୍ଷ ଧରି ଗିରଫ କରି ନାହିଁ ଏବଂ ଯେତେବେଳେ ସେ ଇଡି ଦ୍ୱାରା ପଞ୍ଜୀକୃତ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଜାମିନ ପାଇଥିଲେ ସେତେବେଳେ ତାଙ୍କୁ ଜୁନ ୨୬ରେ ଗିରଫ କରାଯାଇଥିଲା। ତାଙ୍କ ଓକିଲ ଅଭିଷେକ ସିଂଭି କୋର୍ଟଙ୍କୁ କହିଛନ୍ତି ଯେ ଗିରଫ ପୂର୍ବରୁ ସିବିଆଇ ତାଙ୍କୁ କୌଣସି ନୋଟିସ ଦେଇନାହିଁ।
ଆଡଭୋକେଟ ଅଭିଷେକ ମନୁ ସିଂଭି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିବାବେଳେ ଅରବିନ୍ଦ କେଜରିୱାଲ ଜଣେ ସାମ୍ବିଧାନିକ ପଦବୀର ଅଧିକାରୀ ଏବଂ ସେଠାରୁ ପଳାଇବାର କୌଣସି ବିପଦ ନାହିଁ ବୋଲି ସେ କହିଛନ୍ତି। ଏହା ଉପରେ ଏସ.ଭି ରାଜୁ କହିଛନ୍ତି ଯେ ଆଇନରେ କୌଣସି ବିଶେଷ ବ୍ୟକ୍ତି ନାହାଁନ୍ତି, ସମସ୍ତେ ସାଧାରଣ ଲୋକ।
ସିବିଆଇରେ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ମୋତେ କୁହାଯାଇଛି ଯେ କୋର୍ଟ ମଧ୍ୟ ଚାର୍ଜସିଟକୁ ଗ୍ରହଣ କରିଛନ୍ତି। ଏହାର ଅର୍ଥ ହେଉଛି ପ୍ରିମା ଫେସ ମାମଲା ରୁଜୁ ହୋଇଛି। ଆଜି ଯଦି ମାନ୍ୟବର ଜଷ୍ଟିସ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ଜାମିନ ପ୍ରଦାନ କରନ୍ତି, ତେବେ ଏହା ହାଇକୋର୍ଟଙ୍କ ପାଇଁ ମନୋବଳ ହରାଇବା ଭଳି ହେବ ବୋଲି ସେ କହିଛନ୍ତି।

Share