ଧନ୍ୟବାଦ ନା ଅଭିଯୋଗ

ଡ. ବାସୁଦେବ ମିଶ୍ର

 

ଧନ୍ୟବାଦ ଦେବା ଏବଂ ଅଭିଯୋଗ କରିବା ଏ ଦୁଇଟିରୁ ଦ୍ୱିତୀୟଟିକୁ ବିନା ଦ୍ୱିଧାରେ ବାଛିନିଅନ୍ତି ଆମ ଭିତରୁ ଅନେକ। ଦଶରୁ ନଅ ମିଳିଥିଲେ ନ ମିଳିଥିବା ‘ଏକ’ ପାଇଁ ଆମେ ଅଭିଯୋଗ କରିବସୁ ସିନା କିନ୍ତୁ ମିଳିଥିବା ‘ନଅ’ପାଇଁ ଧନ୍ୟବାଦ ଦେଉନା। ପରୀକ୍ଷାରେ ନବେ ପ୍ରତିଶତ ନମ୍ବର ରଖିଥିବା ପିଲାଟି ତା’ର ନବେ ପ୍ରତିଶତକୁ ନେଇ ଖୁସି ହେବାପୂର୍ବରୁ ତା’ର ଆଶା କରିଥିବା ଆଉ ଦୁଇ ପ୍ରତିଶତ ନମ୍ବର ନ ପାଇଥିବା ଯୋଗୁ ଦୁଃଖିତ ହୋଇଯାଏ। ପରୀକ୍ଷା ଖାତାରେ ଲେଖିଥିବା ଉତ୍ତର ଅନୁସାରେ ହିଁ ତାକୁ ନମ୍ବର ଦିଆଯାଇଛି, ଏକଥା ସ୍ବୀକାର କରିପାରେ ନାହିଁ ଯେ, ବସ୍ତୁତଃ ମନୁଷ୍ୟ ନିଜ ପରିଶ୍ରମର ଫଳ ନିଶ୍ଚୟ ଚାହେଁ ପାଇବାକୁ। ତେବେ ନିଜ ପରିଶ୍ରମର ଫଳ ଯେତିକି ମିଳିବା କଥା, ଅନେକ ସମୟରେ ତା’ଠାରୁ ଯଥେଷ୍ଟ ଅଧିକ ଆଶା କରିଦିଏ। ଯେତିକି ଚୂନା, ସେହି ଅନୁସାରେ ତ ପିଠା ହେବ। ସେରେ ଚାଉଳର ଚୂନାରେ ଶଗଡ଼େ ପିଠା ଆସିବ କେଉଁଠୁ? ସମୟ ସମୟରେ ଆମେ ଆମର କ୍ଷମତା ବାହାରର କାର୍ଯ୍ୟକ୍ରମ ହାତକୁ ନେଉ। କାର୍ଯ୍ୟଟିକୁ ସୁଚାରୁରୂପେ ଶେଷ କରିବାକୁ ହୁଏତ ସକ୍ଷମ ହୋଇପାରୁନା। ଯଦି ବା ସକ୍ଷମ ହେଉ, ତା’ର ଗୁଣାମତ୍କତା ବଜାୟ ରଖିପାରୁନା। କିନ୍ତୁ ଗୁଣାମତ୍କ କାର୍ଯ୍ୟର ଫଳ ଆଶା କରିବସୁ। ଏ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ନିଜର କ୍ଷମତାକୁ ଆକଳନ କରି ନ ପାରିବା ହିଁ ପ୍ରକୃତରେ ମୂଳ କାରଣ, ଯାହା ଆମର ପ୍ରାପ୍ତିର ଆଶାକୁ ବହୁଗୁଣିତ କରିଦିଏ।
ଏକ ଅଭିଯୋଗପ୍ରବଣ ମନ ସର୍ବଦା ଅଶାନ୍ତ ରହେ। ଯୋଗ୍ୟତା ଅନୁରୂପ ପ୍ରାପ୍ତିଠାରୁ ଯଥେଷ୍ଟ ଅଧିକ ପ୍ରାପ୍ତ ହୋଇଥିଲେ ମଧ୍ୟ ତା’ର ଅଶାନ୍ତ ମନ ସର୍ବଦା ଅଭିଯୋଗ ହିଁ କରୁଥାଏ। ଧନ, ଜନ, ସମ୍ମାନ ଏମିତି ଅନେକ କଥା ଅଛି, ଯେଉଁଗୁଡ଼ିକ ଯେତେ ପ୍ରାପ୍ତ ହେଲେ ମଧ୍ୟ ପର୍ଯ୍ୟାପ୍ତ ବୋଲି ବୋଧ ହୁଏନାହିଁ। ଠାକୁରଙ୍କୁ ଏତେ ଗୁହାରି କଲି, ମୋତେ କିଛି ମିଳିଲା ନାହିଁ। ଇୟେ ମଧ୍ୟ ଗୋଟିଏ ପ୍ରକାର ଅଭିଯୋଗ। କାର୍ଯ୍ୟ କରିବାର ପ୍ରୟାସ କରି ନ ଥିତ୍ବା ଲୋକକୁ କାର୍ଯ୍ୟଶେଷ କରିଥିବାର ବରଦାନ କେଉଁ ଦେବତା ଅବା ଦେଇପାରିବ? ବିଦ୍ୟାଭ୍ୟାସ ନ କରି ଈଶ୍ୱରଙ୍କର ଶରଣାପନ୍ନ ହେଲେ ପରୀକ୍ଷାରେ ଅଧିକ ନମ୍ବର ମିଳିବ କେଉଁଠୁ? ପ୍ରକୃତ କଥା ହେଲା ଆମ ଭିତରୁ ଅନେକେ ନିଜକୁ ତଉଲି ପାରନ୍ତି ନାହିଁ। ତେଣୁ ନିଜର ପାରିବାପଣିଆ ସମ୍ବନ୍ଧରେ ଜାଣିବା ସେମାନଙ୍କ ପକ୍ଷେ ସମ୍ଭବ ହୁଏନାହିଁ। ଶେଷରେ ଅନ୍ୟକୁ ଦୋଷ ଦେବା ବିନା ଆଉ କିଛି ବାଟ ନ ଥାଏ।
ଏ ସବୁକୁ ବିଚାର କରି ଗୀତାରେ କୁହାଯାଇଛି- କର୍ମ କରିଚାଲ। ଫଳ ଆଶା ରଖନାହିଁ। ଅର୍ଥାତ୍‌ ଫଳ ତ ନିଶ୍ଚୟ ମିଳିବ ଯେଣୁ ତୁମେ କର୍ମ କରିଛ। ଯଦି ତୁମେ କର୍ମ କରିବା ସହିତ ଫଳ ପ୍ରତି ଆଶାବାଦୀ ହୋଇ ରୁହ, ତେବେ ଏପରି ହୋଇପାରେ, ତୁମେ ଯେତିକି କର୍ମ କରିବ, ତା’ ତୁଳନାରେ ଅଧିକ ଆଶା କରି ବସିବ। ଅତଏବ ଦୁଃଖ ହିଁ ପାଇବ। ତା’ ଦ୍ୱାରା ତୁମର ଅନ୍ୟ ଗୋଟିଏ କ୍ଷତି ହେବାର ସମ୍ଭାବନା ମଧ୍ୟ ଅଛି। ଫଳ ପ୍ରତି ଆଶା ରଖୁ ରଖୁ ତୁମ କାର୍ଯ୍ୟ ସମ୍ପାଦନ କରିବାର ସୁଚାରୁତା ମଧ୍ୟ ବାଧାପ୍ରାପ୍ତ ହୋଇପାରେ। ତା’ ଦ୍ୱାରା କାର୍ଯ୍ୟର ଗୁଣବତ୍ତା ରକ୍ଷା କରିବା ମଧ୍ୟ ତୁମ ପକ୍ଷରେ ସମ୍ଭବ ହୋଇ ନ ପାରେ। କର୍ମ କରିବାରେ ନିଷ୍ଠା ରଖିପାରିଲେ ନିଜର କାର୍ଯ୍ୟକୁ ଅତ୍ୟନ୍ତ ଦକ୍ଷତା ଏବଂ ସୁଚାରୁତା ସହ ସମ୍ପନ୍ନ କରିବା ସହିତ କାର୍ଯ୍ୟଶେଷରେ ନିଜ କାର୍ଯ୍ୟକୁଶଳତାର ମୂଲ୍ୟାୟନ ମଧ୍ୟ କରିବାରେ ସକ୍ଷମ ହୋଇପାରିବ।
ଅନ୍ୟପକ୍ଷରେ ଧନ୍ୟବାଦ ଦେବାର ଅଭ୍ୟାସ ମନକୁ ଶାନ୍ତ ରଖେ। ପ୍ରଥମେ ଈଶ୍ୱରଙ୍କୁ ଧନ୍ୟବାଦ ଦିଅ ଏବଂ କୃତଜ୍ଞତା ଜଣାଅ ଯେ ସେ ତୁମକୁ ଏପରି କାର୍ଯ୍ୟ କରିବାର ସୁଯୋଗ ଦେଲେ ଏବଂ ସେଥିପାଇଁ ତୁମକୁ ଯୋଗ୍ୟ ମଣିଲେ। ଦ୍ୱିତୀୟତଃ ତୁମକୁ ଯୋଗ୍ୟ ବ୍ୟକ୍ତିରେ ପରିଣତ କରିଥିବା ଅଥବା ସେଥିରେ ସହାୟତା ପ୍ରଦାନ କରିଥିବା ବ୍ୟକ୍ତିକୁ ଧନ୍ୟବାଦ ଦିଅ ଏବଂ ତାଙ୍କ ପ୍ରତି ଜୀବନବ୍ୟାପୀ କୃତଜ୍ଞ ରୁହ। ଶେଷରେ ନିଜର ଶ୍ରମ ପ୍ରତି ବିଶ୍ୱାସ ରଖ ଏବଂ ନିଜ ପ୍ରତି ବିଶ୍ୱସ୍ତ ରୁହ। ଆଦୌ ଛଳନା ନ କରି ନିଜକୁ ଅନ୍ତତଃ ନିଜ ନିକଟରେ ପୂର୍ଣ୍ଣରୂପେ ପ୍ରକାଶ କର।
ଆଶାର ଅନ୍ତ ନାହିଁ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅସୁମାରୀ ଆଶା ରହିଥାନ୍ତି ଲମ୍ବା ଧାଡ଼ିରେ। ଗୋଟିଏ ଆଶା ପୂର୍ଣ୍ଣ ନ ହେଉଣୁ ଆଉ ଗୋଟିଏ ତା’ର ଜାଗା ମାଡ଼ିବସେ। କୌଣସି ମନୁଷ୍ୟର ସକଳ ଆଶା କେବେ ବି ପୂର୍ଣ୍ଣ ହେବା ସମ୍ଭବ ହୁଏନାହିଁ। ତେଣୁ ତା’ର ଅଭିଯୋଗ କେବେ ବି ସରେନାହିଁ। ବାପା, ମା, ଭାଇ, ବନ୍ଧୁ, କଟୁମ୍ବ ସମସ୍ତଙ୍କ ବିରୋଧରେ ଅଭିଯୋଗ କରିସାରିବା ପରେ ଈଶ୍ୱରଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ପଛାଏ ନାହିଁ ମଣିଷ। ଏପରି କି ଅମୁକଟା ମୋତେ ଦେଲନାହିଁ, ସମୁକଟା ମୋତେ ମିଳିଲା ନାହିଁ, ଏମିତି ଈଶ୍ୱରଙ୍କ ବିରୋଧରେ ଅଭିଯୋଗ କରିବା ମଧ୍ୟ ଦେଖାଯାଏ ଲୋକଙ୍କୁ। କେତେକେ ମନ୍ଦିର ଛାଡ଼ି ଯାଆନ୍ତି ନାହିଁ, ଦୁଆରେ ଅଧିଆ ପଡ଼ନ୍ତି। କେତେକେ ଅଭିମାନରେ ମନ୍ଦିର ଦୁଆର ମାଡ଼ନ୍ତି ନାହିଁ। କଥାଟି କେବଳ ସାଧାରଣ ଲୋକଙ୍କ ପାଖରେ ସୀମିତ ହୋଇ ରହେନାହିଁ। କାହିଁ କେତେ ଜ୍ଞାନୀ, ଗୁଣୀ ଲୋକେ ମଧ୍ୟ ଏପରି କରିବା ଦେଖାଯାଏ। ସେ କାଳରେ ଯଦି ମୃଗୁଣୀକୁ ବିପଦରୁ ରକ୍ଷାକଲ, ଦ୍ରୌପଦୀଙ୍କୁ କୋଟି ବସ୍ତ୍ର ଦେଲ, ସୁଦାମାକୁ ଅମାପ ସମ୍ପତ୍ତି ଦେଲ, ତେବେ ମୋ ବିପଦ ସମୟରେ ମୋତେ କାହିଁକି ଦେବନାହିଁ, ବିପଦରୁ କାହିଁକି ରକ୍ଷା କରିବ ନାହିଁ ବୋଲି ଅଦ୍ଭୁତ ଯୁକ୍ତି ବାଢ଼ନ୍ତି ଭକ୍ତମାନେ। ମନେହୁଏ ଠାକୁର ମଧ୍ୟ ତାଙ୍କର ସେହି ଅଭିଯୋଗଗୁଡ଼ିକୁ ଶୁଣିବା ନିମନ୍ତେ ଯେପରି ଅପେକ୍ଷା କରି ରହିଥାଆନ୍ତି। ଆଉ ଶୁଣି ଖୁସି ମଧ୍ୟ ହୁଅନ୍ତି।
ଜନ୍ମଠାରୁ ଆରମ୍ଭ କରି ଜୀବନ ବଞ୍ଚତ୍ବା ଭିତରେ ଆମେ ଏତେ ଲୋକଙ୍କଠାରେ ଧାରୁଆ ହୋଇ ରହିଯାଉ ଯେ ଜଣଜଣକରି ଧନ୍ୟବାଦ ଦେବାକୁ ଗଲେ ଆଉ କେତୋଟି ଜନ୍ମ ବିତିଯିବ। ପିତାମାତାଙ୍କ ପରେ ସାହିପଡ଼ିଶା ସଖାସାଥୀ ବନ୍ଧୁପରିଜନ ଅନେକ ଚିହ୍ନାଅଚିହ୍ନା ତଥା ପରିବେଶ, ବାୟୁମଣ୍ଡଳ, ସୂର୍ଯ୍ୟଚନ୍ଦ୍ର, ଦିନରାତି ଏପରି କି ଆମ ବାଡ଼ିରେ ଶାଗପଟାଳିରେ ଥିବା ଛୋଟିଆ ଶାଗଗଛଟିଠାରୁ ଆରମ୍ଭ କରି ଅନ୍ୟ ଗଛବୃଛ ପର୍ଯ୍ୟନ୍ତ କିଏ ଆମର ଉପକାର କରିନାହାନ୍ତି ?
ଆମେ ଭାବୁ କେବେ ସେମାନଙ୍କ କଥା? ଏପରି କି ଦୈନନ୍ଦିନ ଜୀବନରେ ଯାହାର ଉପକାରଟା ଆମ ଆଖିକୁ ଦେଖାଯାଏ, ତାକୁ ମଧ୍ୟ ଆମେ ଧନ୍ୟବାଦ ଦେବାକୁ ଆବଶ୍ୟକ ମନେକରୁନା। ତାହା ତାହାର କର୍ତ୍ତବ୍ୟ ଥିଲା ବୋଲି ମନେକରି ତୁନିରହୁ।
ଧନ୍ୟବାଦ ଦେବା ଏକ ଅଭ୍ୟାସ। ଅନ୍ତରରେ ଧନ୍ୟବାଦୀ ହୋଇ ରହିବା ତା’ଠାରୁ ଏକ ବଡ଼ଗୁଣ। ଧନ୍ୟବାଦୀ ହୋଇ ରହୁଥିବା ଲୋକଟିର ମନ ସର୍ବଦା ଶାନ୍ତ ରହେ। ତା’ର ଚିତ୍ତ ସର୍ବଦା କର୍ମନିଷ୍ଠ ରହିବା ସଙ୍ଗେସଙ୍ଗେ ଅଭିଯୋଗମୁକ୍ତ ହୋଇ ରହେ। ଅଭିଯୋଗ କରିବାଦ୍ୱାରା ଅଶାନ୍ତ ଅବସ୍ଥାରେ ଆମେ ସମୟ ଏବଂ ଶକ୍ତି କ୍ଷୟ କରିବା ଅପେକ୍ଷା ସେହି ସମୟ ଏବଂ ଶକ୍ତିକୁ ଆମର କାର୍ଯ୍ୟ କରିବାରେ ଉପଯୋଗ କରିବା ଦ୍ୱାରା ଆମେ ବହୁଗୁଣ ଲାଭବାନ ହୋଇପାରିବା।
ଦଶରଥପୁର, ଯାଜପୁର
ମୋ: ୯୪୩୮୩୨୮୭୫୫