କରଦାତାଙ୍କୁ କୃତଜ୍ଞତା

ଭୁବନେଶ୍ୱର(ବ୍ୟୁରୋ)/କଟକ/ପୁରୀ ଅଫିସ, ୨୧।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆୟକର ବିଭାଗ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳିତ ହୋଇଛି। ଏହି ଅବସରରେ ଭୁବନେଶ୍ୱର ଆୟକର ବିଭାଗ କାର୍ଯ୍ୟାଳୟଠାରୁ ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଆୟକର କମିଶନର ସରୋଜ ମହାପାତ୍ରଙ୍କ ଉପସ୍ଥିତିରେ ସକାଳ ସାଢ଼େ ୬ଟାରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ ତିର୍କୀ ଏହି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭୁବନେଶ୍ୱରରୁ ରାଲି ବାହାରି କଟକ ସେଲ୍‌ଟରଛକସ୍ଥିତ ଆୟକର କାର୍ଯ୍ୟାଳୟଠାରେ ସକାଳ ୮ଟାରେ ପହଞ୍ଚତ୍ଥିଲା। ଆୟକର ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ସଙ୍ଗଠନର ୨୫୦ ସାଇକେଲ ଚାଳକ ରାଲିରେ ଯୋଗଦେଇଥିଲେ। ରାଲିରେ ଆସିଥିବା ସାଇକେଲ ଚାଳକଙ୍କୁ କଟକଠାରେ ପ୍ରମୁଖ ଆୟକର କମିଶନର ମନୋରଞ୍ଜନ ପାଣିଗ୍ରାହୀ ଓ ଜିଲାପାଳ ଭବାନୀ ଶଙ୍କର ଚଇନୀ ସ୍ବାଗତ କରିଥିଲେ। କଟକ ଆୟକର ଭବନର କର୍ମଚାରୀମାନେ ଏହି ରାଲିରେ ସାମିଲ ହୋଇ ଲୋକମାନଙ୍କ ମଧ୍ୟରେ ଦେଶାତ୍ମକ ଭାବ ଜାଗ୍ରତ କରିଥିଲେ। ସାଇକେଲ ଚାଳକଙ୍କୁ ଉତ୍ସାହିତ କରିବା ପାଇଁ ଜିଲାପାଳ ନିଜେ ସାଇକେଲ ଚଲାଇଥିଲେ। ପରେ ଏହି ରାଲି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କଟକ ଖାନ୍‌ନଗର- ଫୁଲନଖରା- ଉତ୍ତରାଛକ ଦେଇ ପୁରୀ ଅଭିମୁଖେ ଯାତ୍ରା କରିଥିଲା। ଅପରାହ୍ନ ୩ଟାରେ ଉକ୍ତ ରାଲି ପୁରୀ ପେଣ୍ଠକଟାସ୍ଥିତ ଆୟକର କାର୍ଯ୍ୟାଳୟଠାରେ ପହଞ୍ଚତ୍ଥିଲା। ସେଠାରେ ରାଲିକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସେଠାରୁ ରାଲି ବାହାରି ଭୁବନେଶ୍ୱରରେ ସନ୍ଧ୍ୟାରେ ପହଞ୍ଚତ୍ଥିଲା। ସାଇକେଲ ରାଲି ଗୋଟିଏ ମାତ୍ର କାର୍ଯ୍ୟକ୍ରମ। ଯେଉଁମାନେ ଠିକ୍‌ ସମୟରେ କର ପ୍ରଦାନ କରୁଛନ୍ତି, ସେମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ କୃତଜ୍ଞତା ଜ୍ଞାପନ କରାଯାଉଛି ବୋଲି ଆୟକର କମିଶନର ମହାପାତ୍ର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଆୟକର କମିଶନରଙ୍କ ସମେତ ପୂର୍ବତନ କମିଶନର ଶରତ କୁମାର ଦାସ, ପ୍ରମୁଖ ଆୟକର କମିଶନର ଅସିତ ମହାପାତ୍ର, କଟକ ଆୟକର ବିଭାଗର ଯୁଗ୍ମ ଆୟକର କମିଶନର ଉମାକାନ୍ତ ଧ୍ରୁପତି, ଅତିରିକ୍ତ ଆୟକର କମିଶନର ବିଜୟ ଗୌତମ, ଜିତେନ୍ଦ୍ର କୁମାର ଲେଙ୍କା, ଅରୁଣ କୁମାର ମହାନ୍ତି, ଆୟକର ଅଧିକାରୀ ରଞ୍ଜନ ମହାନ୍ତି, ପି.କେ. ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Share