Categories: ଜାତୀୟ

‘ଭାରତ’ର ନୂଆ ଅର୍ଥ ବୁଝାଇଲେ ଥରୁର

ନୂଆଦିଲ୍ଲୀ,୭ା୯: ଦେଶର ନାମକୁ ନେଇ ରାଜନୈତିକ ବିବାଦ ମୁଣ୍ଡ ଟେକିଥିବାବେଳେ କଂଗ୍ରେସ ନେତା ଶଶୀ ଥରୁର ‘ଭାରତ’ର ନୂଆ ଫୁଲ୍‌ ଫର୍ମ ବାହାର କରିଛନ୍ତି। ଜି୨୦ ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ବିଦେଶୀ ନେତାମାନଙ୍କୁ ପଠାଯାଇଥିବା ନୈଶଭୋଜି ନିମନ୍ତ୍ରଣପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଉଲ୍ଲେଖ କରାଯାଇଛି। ଏହାକୁ ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ରେ ସାମିଲ ଥିବା ବିରୋଧୀ ନେତାମାନେ ତୀବ୍ର ସମାଲୋଚନା କରିଛନ୍ତି।

ଏନେଇ ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁର ମଙ୍ଗଳବାର କହିଥିଲେ, ଇଣ୍ଡିଆକୁ ଭାରତ କହିବା ନେଇ କୌଣସି ସାମ୍ବିଧାନିକ ଆପତ୍ତି ନାହିଁ। ତେଣୁ ସରକାର ଏତେ ବୋକା ପାଲଟିଯିବେ ନାହିଁ ବୋଲି ଆଶା। ବିରୋଧୀ ମେଣ୍ଟର ନାମ ଇଣ୍ଡିଆ ରଖାଯାଇଥିବାରୁ ସରକାର ଏପରି ପରିବର୍ତ୍ତନ କରିଛନ୍ତି। ଏବେ ଯଦି ବିରୋଧୀ ନିଜ ମେଣ୍ଟର ନାମ ଭାରତ ରଖିବେ, ତା’ହେଲେ ସରକାର ପୁଣି କ’ଣ କରିବେ ବୋଲି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସମେତ ଅନେକ ଦଳ ପ୍ରଶ୍ନ କରିଛନ୍ତି।

ଏଭଳି ସମୟରେ ବୁଧବାର ଥରୁର ଏକ ପ୍ରସ୍ତାବ ଦେଇଛନ୍ତି। ତାହା ହେଲା, ବିରୋଧୀ ମେଣ୍ଟ ନିଜ ପରିଚୟ ଆଲାଏନ୍ସ ଫର୍‌ ବେଟରମେଣ୍ଟ, ହାର୍‌ମୋନି ଆଣ୍ଡ ରେସ୍‌ପନ୍ସିବଲ ଆଡ୍‌ଭାନ୍ସମେଣ୍ଟ ଫର୍‌ ଟୁମୋରୋ (ଭାରତ) ନାମରେ ଦେଉ। ଏପରି କଲେ ସମ୍ଭବତଃ ଶାସକ ଦଳ ନାମ ପରିବର୍ତ୍ତନର ନିର୍ବୋଧ ଖେଳ ବନ୍ଦ କରିଦେବ ବୋଲି ଥରୁର ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ପୋଷ୍ଟ କରିଛନ୍ତି।

Share