Categories: ଜାତୀୟ

ଜୟଶଙ୍କରଙ୍କୁ ସମର୍ଥନ କଲେ ଥରୁର

ନୂଆଦିଲ୍ଲୀ,୩୦।୮: ନିକଟରେ ଚାଇନା ଦ୍ୱାରା ପ୍ରକାଶିତ ସରକାରୀ ମାନଚିତ୍ରରେ ଭାରତର ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନର ନିଜ ଅଂଶ ଦର୍ଶାଇଛି। ଏହାକୁ ନେଇ ଭାରତରେ ଅସନ୍ତୋଷ ରହିଛି। ଚାଇନା ଦାବିକୁ ପ୍ରତ୍ୟାଖ୍ୟାନ କରି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଏହା ନୂଆ କଥା ନୁହେଁ ଏବଂ ଏଭଳି ମ୍ୟାପ୍‌ ଜାରି କରିବା ଚାଇନାର ପୁରୁଣା ଅଭ୍ୟାସ। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ମଧ୍ୟ ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି। ଯଦି ଚାଇନା ଏହା କରୁଛି ତେବେ ଆମେ କାହିଁକି କରିପାରିବୁ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଥରୁର କହିଛନ୍ତି, ଭାରତ ମଧ୍ୟ ଏକ ଚୀନ ନୀତିକୁ ସମର୍ଥନ ବନ୍ଦ କରିବା ଉଚିତ୍‌।
ଥରୁର କହିଛନ୍ତି ଯେ, ଚାଇନ ଅରୁଣାଚଳ ପ୍ରଦେଶର ଅଂଶ ଦର୍ଶାଇବାକୁ ଭାରତ ବିରୋଧ କରିଛନ୍ତି। ଚାଇନାର ଏହା ଏକ ପୁରୁଣା ଅଭ୍ୟାସ ବୋଲି ଜୟଶଙ୍କର ଠିକ କହିଛନ୍ତି। ଜୟଶଙ୍କରଙ୍କ ମଧ୍ୟ ଏହି ଅଭ୍ୟାସ ଅଛି ଯେ ସେ ଆମର ବିରୋଧକୁ ଅଣଦେଖା କରନ୍ତି, ତେବେ ଆମେ ଏହି ବିଷୟକୁ ଏଠାରେ ଛାଡିଦେବା ଉଚିତ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଚାଇନା ପକ୍ଷରୁ ଜାରି ନୂଆ ମାନଚିତ୍ରରେ ଭାରତୀୟ ଭୂଖଣ୍ଡକୁ ନିଜର ଦାବି କରିବା ବିଷୟକୁ ମଙ୍ଗଳବାର ନୂଆଦିଲ୍ଲୀ ପ୍ରତ୍ୟାଖ୍ୟାନ କରିଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ଏଭଳି ମ୍ୟାପ୍‌ ଜାରି କରିବା ଚାଇନାର ପୁରୁଣା ଅଭ୍ୟାସ। ଅନ୍ୟ ଦେଶଗୁଡ଼ିକର ଭୂଖଣ୍ଡକୁ ନିଜ ମାନଚିତ୍ରରେ ସାମିଲ କରିଦେଲେ ତାହା ଚାଇନାର ହୋଇଯିବ ନାହିଁ। ଆମ ଦେଶର ଅଞ୍ଚଳକୁ ନେଇ ଆମ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ରହିଛି। ନିକଟରେ ଦକ୍ଷିଣର ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ପରସ୍ପରକୁ ଭେଟିଥିଲେ। ଜିନ୍‌ପିଙ୍ଗ୍‌ଙ୍କ ଆଗରେ ମୋଦି ଭାରତ-ଚାଇନା ସୀମାନ୍ତ ଓ୍ବେଷ୍ଟର୍ନ ସେକ୍ଟର ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଅମୀମାଂସୀତ ବିବାଦ ପ୍ରସଙ୍ଗ ଉଠାଇଥିଲେ। ଦ୍ୱିପାକ୍ଷିକ ସମ୍ପର୍କ ସ୍ବାଭାବିକ କରିବାକୁ ହେଲେ ଏଲ୍‌ଏସିରୁ ଯୁଦ୍ଧକାଳୀନ ଭିତ୍ତିରେ ସୈନ୍ୟ ପ୍ରତ୍ୟାହାର ଉପରେ ମୋଦି ଗୁରୁତ୍ୱାରୋପ କରିଥିଲେ। ଏହାସତ୍ତ୍ୱେ ଚାଇନା ନୂଆ ମାନଚିତ୍ର ଜାରି କରି ବିବାଦୀୟ ସ୍ଥିତି ଉପୁଜାଇବା ଦୁର୍ଭାଗ୍ୟଜନକ ବୋଲି ଜୟଶଙ୍କର କହିଛନ୍ତି।

Share