Categories: ଜାତୀୟ

ଥରୁରଙ୍କ ଅଭିଯୋଗ: ଖାର୍ଗେଙ୍କ ଭଳି ମୋତେ ମିଳୁନି ସମାନ ସୁଯୋଗ

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଶଶି ଥରୁର ଜୋରସୋରରେ ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ବିପକ୍ଷ ପ୍ରାର୍ଥୀ ମଲିକାର୍ଜୁନ ଖାର୍ଗେଙ୍କ ଭଳି ତାଙ୍କୁ ସମାନ ସୁଯୋଗ ଦିଆଯାଉ ନ ଥିବା ସେ ଇସାରାରେ କହିଛନ୍ତି। ଅଧ୍ୟକ୍ଷ ନିର୍ବାଚନରେ ତାଙ୍କୁ ସମାନ ସୁଯୋଗ ମିଳୁଛି କି ବୋଲି ଥରୁରଙ୍କୁ ପ୍ରଶ୍ନ ହେବାରୁ ସେ କହିଛନ୍ତି, ସିଷ୍ଟମରେ କିଛି ତ୍ରୁଟି ରହିଛି। ୨୨ ବର୍ଷ ଧରି ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇ ନାହିଁ। ଆମକୁ ଗତ ୩୦ ତାରିଖରେ ପ୍ରଥମେ ଗୋଟିଏ ତାଲିକା ଦିଆଯାଇଥିଲା। ତା’ପରେ ଗୋଟିଏ ସପ୍ତାହ ପରେ ଆମକୁ ଆଉ ଏକ ତାଲିକା ମିଳିଲା। ପ୍ରଥମ ତାଲିକାରେ କାର୍ଯ୍ୟକର୍ତ୍ତାଙ୍କ ଫୋନ ନମ୍ବର ନ ଥିଲା। ସେମାନଙ୍କର ଠିକଣା ମଧ୍ୟ ନ ଥିଲା। ତେବେ ଆମେ କାହା ସହିତ ଯୋଗାଯୋଗ କରିବୁ? ତା’ପରେ ନାମ ଏବଂ ଫୋନ ନମ୍ବର ପାଇଥିବା ତାଲିକା ପ୍ରଥମ ତାଲିକାରୁ ଭିନ୍ନ ଥିଲା ତେଣୁ ମୁଁ ଅଭିଯୋଗ କରୁନାହିଁ ଯେ ଏହା ଉଦ୍ଦେଶ୍ୟମୂଳକ ଭାବରେ କରାଯାଉଛି। ୨୨ ବର୍ଷ ଧରି ଆମ ଦଳରେ ନିର୍ବାଚନ ଅନୁଷ୍ଠିତ ହୋଇ ନାହିଁ, ସେଥିପାଇଁ ଏହି ଭୁଲଗୁଡିକ ଘଟିଛି। ଅକ୍ଟୋବର ୧୭ ପର୍ଯ୍ୟନ୍ତ ଆମେ କାର୍ଯ୍ୟକର୍ତ୍ତାଙ୍କ ନିକଟରେ ନିଜ ବାର୍ତ୍ତା ପହଞ୍ଚାଇପାରିବୁ ଏଥିରେ କୌଣସି ଗ୍ୟାରେଣ୍ଟି ମଧ୍ୟ ନାହିଁ।
ଥରୁର ଆହୁରି ମଧ୍ୟ କହିଛନ୍ତି,ଅନେକ ସ୍ଥାନରେ ରାଜ୍ୟ କଂଗ୍ରେସ କମିଟିର ସଭାପତି ତଥା ବରିଷ୍ଠ ନେତାମାନେ ଖାର୍ଗେ ଜୀଙ୍କୁ ସ୍ବାଗତ କରିଛନ୍ତି, ତାଙ୍କ ସହ ବସି ରାଜ୍ୟ କଂଗ୍ରେସ କମିଟିର ଲୋକଙ୍କୁ ପରିଚିତ କରାଇଛନ୍ତି। କିନ୍ତୁ ମୋ ପାଇଁ ଏହିପରି କିଛି ଘଟି ନାହିଁ। ତଥାପି ମୋର ଖାର୍ଗେ ଜୀଙ୍କ ସହ କୌଣସି ମତାନ୍ତର ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share