ଲଳିତ କୁମାର ପାତ୍ର
ଓଡ଼ିଆ ଭାଷା ଆଜି ଦୁର୍ଦ୍ଦିନ ମଧ୍ୟଦେଇ ଗତି କରୁଛି। ଏହାର ସୁରକ୍ଷା ପାଇଁ କେହି ଯତ୍ନଶୀଳ ହେଉନାହାନ୍ତି ବୋଲି ପ୍ରତୀୟମାନ ହୁଏ। ଏହି ଭାଷା ଏକ ପୁରାତନ, ମଧୁର ଓ ସରଳ ଭାଷା ହୋଇଥିଲେ ହେଁ ସର୍ବତ୍ର ଏହାର ହତାଦର ହୋଇଚାଲିଛି। ଓଡ଼ିଆ ଭାଷାର ସୁରକ୍ଷା ସହିତ ଏହାର ପ୍ରସାର, ପ୍ରଚାର ଦିଗରେ କି କି ପଦକ୍ଷେପ ଓ ବ୍ୟବସ୍ଥା କଲେ ତାହା ଉଭୟ ଓଡ଼ିଆ ଏବଂ ଓଡ଼ିଶା ପାଇଁ ଫଳପ୍ରଦ ସାବ୍ୟସ୍ତ ହେବ ସେ ବିଷୟରେ ଚିନ୍ତା କରିବା ଉଚିତ। ପ୍ରଥମେ ଦୁଇ ଜଣ ଡାକ୍ତରଙ୍କ ବୃତ୍ତିଗତ କାର୍ଯ୍ୟର ଉଦାହରଣ ଦେଉଛି। ଜଣକ ପାଖରେ ସର୍ବଦା ରୋଗୀମାନେ ଧାଡ଼ିରେ ଠିଆ ହୁଅନ୍ତି। କେହି ଠେଲିପେଲି ଆଗରେ ରୁହନ୍ତି ତ କେହି ଅଧିକ ସମୟ ଛିଡ଼ା ହୋଇ ନ ପାରି ପଳାନ୍ତି ଆଉ କେତେକ କଷ୍ଟ ପାଇ ସୁଦ୍ଧା ପଡ଼ି ରୁହନ୍ତି। ହୋହଲ୍ଲା ହେଲେ ଡାକ୍ତରବାବୁ ଟିକେ ପାଟି କରିଦିଅନ୍ତି। କେତେକେ କହନ୍ତି- ଲୋକଗୁଡ଼ା ମୂର୍ଖଙ୍କ ଭଳି ହେଉଛନ୍ତି, କିଛି ବୁଝନ୍ତି ନାହିଁ, ଅସଭ୍ୟତା ଏମାନଙ୍କର ସ୍ବଭାବ। କିଏ କିଏ ଏ ବିଷୟରେ କିଛି କହିପକାନ୍ତି କିନ୍ତୁ ସରଳ ଲୋକମାନେ ନୀରବରେ ଏ ସବୁ ଶୁଣି ଚୁପ ରହନ୍ତି।
ଅନ୍ୟ ଡାକ୍ତର ଜଣକ ସମ୍ଭାବ୍ୟ ରୋଗୀ ଭିଡ଼ ପାଇଁ ଦ୍ୱାର ପାଖରେ ୫/୧୦ଜଣଙ୍କ ନାମ ଲେଖା ହେଲା ଭଳି ଏକ ଛୋଟ କାଗଜ ଓ କଲମ ଝୁଲାଇ ଦେଇଥା’ନ୍ତି। ରୋଗୀମାନେ ଆସିଲେ କ୍ରମିକ ସଂଖ୍ୟା ପାଖରେ ନିଜ ନାମ ଲେଖିଦେଇ ସୁବିଧା ଅନୁଯାୟୀ ଅପେକ୍ଷା କରନ୍ତି। କ୍ରମିକ ସଂଖ୍ୟା କେତେ ପଡ଼ିଲା ବୁଝି ଡାକ୍ତରଙ୍କ ପାଖକୁ ଯାଆନ୍ତି। ସେଠି ଏ ସୁବ୍ୟବସ୍ଥା ଯୋଗୁ କିଛି ବିଶୃଙ୍ଖଳା ହୋଇ ନ ଥାଏ। କିନ୍ତୁ ଅନ୍ୟ ଡାକ୍ତରଙ୍କ ପାଖରେ ସର୍ବଦା କଳିଗୋଳ ଓ ଲୋକଙ୍କ ଉପରେ ଦୋଷ ଦେବା ଚାଲେ। ସେହିପରି କଲିକତାରେ ଝୋଟ କଳରେ ପ୍ରଥମେ କାମ କରୁଥିବା ଶ୍ରମିକମାନେ ମାସିକିଆ ବେତନ ପାଇ ବେହିସାବୀ ଖର୍ଚ୍ଚ କରି ଅଭାବରେ ପଡ଼ିବା ହେତୁ କରଜ କରୁଥିଲେ ଓ ଶୁଝିବାକୁ ଅକ୍ଷମ ହୋଇ ଲୁଚିକରି ଘରକୁ ପଳାଇ ଆସୁଥିଲେ; ଫଳରେ କାରଖାନାରେ ନିୟମିତ ଶ୍ରମିକଙ୍କ ଅଭାବଜନିତ ସମସ୍ୟା ଦେଖାଦେଲା। ଇଂରେଜମାନେ ଅନୁଧ୍ୟାନ କରି ମାସିକିଆ ବେତନକୁ ସାପ୍ତାହିକ କରିଦେଲେ। ଫଳରେ ଶ୍ରମିକମାନେ ବେହିସାବୀ ଖର୍ଚ୍ଚ କରି ଦୁଇ ବା ତିନି ଦିନ ଅଭାବରେ ରହି ପୁଣି ନଗଦ ବେତନ ପାଇବା ହେତୁ କମ ହଇରାଣ ହୋଇ ଧୀରେ ଧୀରେ ହିସାବୀ ହୋଇଗଲେ, କାମ ଛାଡ଼ି ଗଲେ ନାହିଁ କି କାରଖାନାରେ ଉକ୍ତ ସମସ୍ୟା ଆଉ ରହିଲାନାହିଁ। ଏଥିରେ କେହି ଲୋକଙ୍କ ଦୋଷ ଦେଲେ ନାହିଁ। ଏଥିରୁ ବ୍ୟବସ୍ଥାଟିକୁ ଲୋକଙ୍କ ଉପରେ ଛାଡ଼ିଦେବା ଠିକ ନା ସୁବ୍ୟବସ୍ଥା କରିବା ଠିକ ତାହା ବିଚାରଯୋଗ୍ୟ। ସୁବ୍ୟବସ୍ଥା କରି ଲୋକମାନଙ୍କୁ ଶୃଙ୍ଖଳିତ ଓ ଶାନ୍ତିରେ ରଖିବା ସହିତ ନିଜର ଉନ୍ନତି କରାଯାଇପାରେ।
ଓଡ଼ିଆ ଭାଷା ଏବଂ ଓଡ଼ିଆ ଜାତି ସଂକଟମୟ ପରିସ୍ଥିତି ଦେଇ ଚାଲିଆସିଛିି। ସୁବ୍ୟବସ୍ଥିତ ଢଙ୍ଗରେ ଓଡ଼ିଆ ଏକ ସ୍ବତନ୍ତ୍ର ଭାଷା ନୁହେଁ ଓ ଓଡ଼ିଆ ଭାଷା ବଦଳରେ ବଙ୍ଗଳା, ହିନ୍ଦୀ ଓ ତେଲୁଗୁ ଭାଷାର ପ୍ରଚଳନ କରାଗଲା। ସୌଭାଗ୍ୟ କ୍ରମେ ଗୌରୀଶଙ୍କର ରାୟ, ଫକୀରମୋହନ ସେନାପତିଙ୍କ ପରି ଯୋଗଜନ୍ମା ପୁରୁଷମାନଙ୍କ ଆବିର୍ଭାବ ଓ କୌଶଳଗତ ଉଦ୍ୟମ ହେତୁ ବର୍ତ୍ତମାନର ଓଡ଼ିଶାରେ ଓଡ଼ିଆ ଭାଷା ରକ୍ଷା ପାଇଯାଇଥିଲା ସତ, କିନ୍ତୁ ଓଡ଼ିଆ ଭାଷାକୁ ଲୋପ କରିବା ଉଦ୍ୟମ ଆଜି ପର୍ଯ୍ୟନ୍ତ ମଧ୍ୟ ଚାଲିଛି।
ଏ ପ୍ରକାର ହୀନ ଉଦ୍ୟମରେ ବ୍ୟଥିତ କନିକା ରାଜା ରାଜେନ୍ଦ୍ରନାରାୟଣ ଭଞ୍ଜଦେଓଙ୍କ ସହ ଓଡ଼ିଆମାନେ ନିଜ ଭାଗ୍ୟ ନିଜେ ନିର୍ଦ୍ଧାରଣ କରିବା ପାଇଁ ନିଷ୍ପତ୍ତି ନେଲେ। ନିଜର କେତେ ଜଣ ଓଡ଼ିଆ ଜାତୀୟତାବାଦୀ ସହଯୋଗୀ ନେତାଙ୍କୁ ନେଇ ତତ୍କାଳୀନ ବିହାର-ଓଡ଼ିଶା ରାଜଧାନୀ ପାଟଣାଠାରେ ବାସ କରୁଥିବା ସାଧାରଣ ରିକ୍ସାବାଲାଠାରୁ ସଚିବାଳୟର କିରାଣି ପର୍ଯ୍ୟନ୍ତ ସମସ୍ତ ଓଡ଼ିଆଙ୍କୁ ଏକାଠି କରି ସାଇମନ କମିଶନଙ୍କୁ ସ୍ବାଗତ କଲେ। ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏକ ସ୍ବତନ୍ତ୍ର ପ୍ରଦେଶ ଗଠନ ପାଇଁ ଦାବି ଜଣାଇଲେ। ପରଦିନ ସାଇମନ କମିଶନଙ୍କୁ ଭାରତୀୟମାନେ ବର୍ଜନ କଲାବେଳେ ଓଡ଼ିଆମାନେ ସ୍ବାଗତ କରିଛନ୍ତି ବୋଲି ଖବର ଦେଶର ପ୍ରମୁଖ ଖବରକାଗଜରେ ବାହାରିଲା। ତାଙ୍କର ଉଦ୍ୟମ ଫଳବତୀ ହେଲା ଓ ଗୋଲଟେବୁଲ ବୈଠକରେ କଥା ପଡ଼ି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରାଗଲା। ଦୁର୍ଭାଗ୍ୟର ବିଷୟ ଯେ,ଏକ ସ୍ବତନ୍ତ୍ର ପ୍ରଦେଶ ଗଠନରେ ଯାହାଙ୍କ ଅବଦାନ ରହିଛି ତାଙ୍କ ପ୍ରତି ସେଭଳି ସମ୍ମାନ ପ୍ରଦର୍ଶନ କରାଯାଇପାରିନାହିଁ। ଯେଉଁ ଅଦୃଶ୍ୟ ଚାପ ପାଇଁ ଏପରି ହେଉଛି ତାକୁ ଠଉରେଇ କନିକା ରାଜା ଇଂରେଜ ସରକାରଠାରେ ନିଜ କନିକା ରାଜ୍ୟ ଫେରାଇଦେବା ପାଇଁ ଦାବି ଉପସ୍ଥାପନା କରି ଏକ ସ୍ବତନ୍ତ୍ର ଓଡ଼ିଆ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ପରିକଳ୍ପନା କରିଥିଲେ। ତାଙ୍କର ଉଚ୍ଚ ଚିନ୍ତାଧାରା ଓ ଦୂରଦର୍ଶିତା ସଫଳ ହୋଇଥିଲେ ଓଡ଼ିଆ ଆଜି ଜୀବନ ମରଣ ସମୟ ଦେଇ ଗତି କରି ନ ଥାନ୍ତା। ସେ ଉତ୍ତମ ରୂପେ ବୁଝିଥିଲେ ଯେ ସରକାରୀ ପୃଷ୍ଠପୋଷକତା ବିନା କୌଣସି ବିଷୟ ତିଷ୍ଠିବା କଷ୍ଟକର; କ୍ଷମତା ଯାହାର କର୍ତ୍ତବ୍ୟ ମଧ୍ୟ ତାହାର।
ସ୍ବାଧୀନୋତ୍ତର ଶାସନରେ ଓଡ଼ିଆକୁ ଲୋପ କରାଯାଉଛିି। ଗୋଟିଏ ଛୋଟିଆ ଉଦାହରଣ ଦେଖାଯାଉ। ବାଗଡ଼ୁଡ଼ୁ ଗୋଟିଏ ଓଡ଼ିଆ ଶବ୍ଦ; କିନ୍ତୁ ବିଦ୍ୟାଳୟ କ୍ରୀଡ଼ା ମାଧ୍ୟମରେ ସରକାର କବାଡ଼ି ଶବ୍ଦର ବ୍ୟବହାର କରିବାରୁ ବାଗଡ଼ୁଡ଼ୁ ଶବ୍ଦ ଲୋପ ହେଲାଣି। ଏହିପରି ସରକାରଙ୍କ ନୀତି ନିୟମ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଓଡ଼ିଆକୁ ବିଲୁପ୍ତ କରାଉଛି। ଓଡ଼ିଆ ବିଦ୍ୟାଳୟଗୁଡ଼ିକ ବନ୍ଦ ହେବାକୁ ଲାଗିଲାଣି। ଇଂଲିଶ ମାଧ୍ୟମ ବିଦ୍ୟାଳୟ ପ୍ରସାର ସହିତ ଓଡ଼ିଆ ପିଲା ଓଡ଼ିଆ ଶବ୍ଦ ସହିତ ଅପରିଚିତ ହୋଇ ଅଣ ଓଡ଼ିଆ ହେବାରେ ଲାଗିଛନ୍ତି। ଓଡ଼ିଆରେ ବହୁ ପୁସ୍ତକ ମିଳୁ ନ ଥିବାବେଳେ ଓଡ଼ିଆରେ ପ୍ରକାଶିତ ପୁସ୍ତକ ବିକ୍ରି ହୋଇପାରୁନାହିଁ। ଧାର୍ମିକ କାର୍ଯ୍ୟରେ ହିନ୍ଦୀ ଭାଷାର ପ୍ରଚଳନ ହେଲାଣି; କୁମାର ପୂନେଇଁ ଗୀତ, ରଜ ଗୀତ, ପାଟୁଆନାଚ ଗୀତ, କେନ୍ଦରା ଗୀତ, ଚକୁଳିଆପଣ୍ଡା ଗୀତ ଆଜି ଆଉ ଶୁଭୁନାହିଁ। ଓଡ଼ିଶାର ଟଙ୍କାକୁ ହିନ୍ଦୀ ଅନୁବାଦ ପାଇଁ ଖର୍ଚ୍ଚ କରି ହିନ୍ଦୀ ଭାଷାକୁ ସମୃଦ୍ଧ କରାଯାଉଛି। ଏ କଥାକୁ ଏଡ଼ାଇ ଦେଉଥିବା ଲୋକେ କପଟ କଥା କହୁଛନ୍ତି। ଓଡ଼ିଆ ଭାଷା ସୁରକ୍ଷିତ ରହିବା ପାଇଁ ସରକାର ଯେଉଁ ପଦକ୍ଷେପ ମାନ ନେଇଛନ୍ତି ତାହା କେବଳ ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ।
ଲର୍ଡ କର୍ଜନ ଏକଦା କହିଥିଲେ ଓଡ଼ିଆମାନେ ସରଳ ପ୍ରକୃତିର ହୋଇଥିବାରୁ ସେମାନଙ୍କ ଅବସ୍ଥା ଆଜି ଏପରି ଦୟନୀୟ ହୋଇଛି। ପ୍ରକୃତରେ ଓଡ଼ିଆମାନେ ସରଳ ହୋଇ ନ ଥିଲେ ଓଡ଼ିଆ ଲୋପ ହେଲେ କ’ଣ ହୋଇଯାଉଛି ବୋଲି କହନ୍ତେ କି? ଓଡ଼ିଆରେ ଉପସ୍ଥାପନା, କହିବା ଓ ଲେଖିବା ବେଳେ ହିନ୍ଦୀ ଇଂଲିଶ ଶବ୍ଦ ବ୍ୟବହାର କରି ପିଲାଙ୍କ ପରି ବାହାଦୁରି ଦେଖାନ୍ତେ କି? ଇତ୍ୟାଦି। ଏଣୁ ଭାଗବତରେ ଲେଖା ଥିବା ‘ଛନ୍ଦ ନ ଜାଣେ ନନ୍ଦ ରାଣୀ ପୁତନା କୋଳେ ପୁତ୍ର ଦେଲା ଆଣି’ ପରି ଓଡ଼ିଆମାନେ କିଛି ଛନ୍ଦ ମାୟା ନ ଜାଣିଲା ପରି ଓଡ଼ିଆ ପରି ମହାନ୍ ଭାଷା ଓ ଜାତିର କ’ଣ ହେଉଛି ଓ ହେବାକୁ ଯାଉଛି ଜାଣିପାରୁନାହାନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି କେତେକେତେ ରାଷ୍ଟ୍ର ସୃଷ୍ଟି ଓ ବିଲୋପ ଘଟି ଚାଲିଛି। ଇତିହାସ ତା’ର ସାକ୍ଷୀ; ଇତିହାସରେ ନିଶ୍ଚୟ ରହିବ ଯେ ଭାରତରେ ଓଡ଼ିଆ ଭାଷାର ଯେତେ କ୍ଷତି ହୋଇଛି ବା ହେବାକୁ ଯାଉଛି ତାହା ଆଉ କେଉଁ ରାଷ୍ଟ୍ର ବ୍ୟବସ୍ଥାରେ ହୋଇନାହିଁ। ଏ କଥାଟା ବଣର ମଲ୍ଲୀ ବଣରେ ମଉଳିଲା ଭଳି କେବେ ମଉଳିଯିବନାହିଁ। ଇତିହାସ ତା’ର ବକ୍ଷରେ ଏହାକୁ ନିଶ୍ଚେ ଧାରଣ କରିବ। ଏଣୁ ବେଳ ହୁଁ ସାବଧାନ। ରାଷ୍ଟ୍ର ଭାଷା ହିନ୍ଦୀ ଓ ବଙ୍ଗଳା ଦେଶର ରାଷ୍ଟ୍ର ଭାଷା ବଙ୍ଗଳାର ଚାପରେ ଓଡ଼ିଆ ଭାଷା ଚାପି ହୋଇଯିବା ପୂର୍ବରୁ ଗଜପତି ମହାରାଜା ଦାବି କରିଥିବା ପୁରୁଷୋତ୍ତମ କ୍ଷେତ୍ରକୁ ଭାଟିକାନ ସିଟିର ମାନ୍ୟତା ପରି ଏହାର ରାଷ୍ଟ୍ର ଭାଷା ଓଡ଼ିଆ କଲେ ଓଡ଼ିଆ ଭାଷା ଅନ୍ୟ ଭାଷା ସହିତ ଭାରସାମ୍ୟ ରକ୍ଷା କରି ବଞ୍ଚତ୍ଥିବ। ଏଥି ସହିତ ସରକାର ନିମ୍ନ ୯ଟି ନିୟମକୁ ଓଡ଼ିଶାରେ ଲାଗୁ କଲେ ଓଡ଼ିଆ ନିଶ୍ଚିତ ବଞ୍ଚତ୍ବ। ୧-ଓଡ଼ିଆ ଭାଷାକୁ ଓଡ଼ିଆ ଶବ୍ଦର ଭାଷାଭାବେ ବ୍ୟବହାର ଓ ଏଥିରେ ଅନ୍ୟ ଭାଷାର ଶବ୍ଦ ବ୍ୟବହାରକୁ ଦଣ୍ଡିତ କରିବା। ୨-ଓଡ଼ିଶାରେ ସମସ୍ତ ପ୍ରକାର ଶିକ୍ଷା କେବଳ ଓଡ଼ିଆ ଭାଷା ମାଧ୍ୟମରେ ହେଉ। ୩-ଓଡ଼ିଶାରେ ହେଉଥିବା ସମସ୍ତ ନିଯୁକ୍ତି ପରୀକ୍ଷାକୁ କେବଳ ଓଡ଼ିଆ ଭାଷାରେ କରାଯାଉ। ୪-ଓଡ଼ିଶାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକର ସମସ୍ତ ଲେଖାପଢ଼ା କାମ କେବଳ ଓଡ଼ିଆ ଭାଷାରେ ହେଉ। ୫-ଓଡ଼ିଆ ଭାଷାରେ ଦକ୍ଷତା ଓ ବ୍ୟବହାରକୁ ବିଚାର କରି କର୍ମଚାରୀମାନଙ୍କ ଦରମା ବୃଦ୍ଧି, ପଦୋନ୍ନତି ଆଦି କରାଯାଉ। ୬-କେବଳ ଓଡ଼ିଆ ଭାଷାର ବ୍ୟବହାର କରୁଥିବା ବେସରକାରୀ ସଂସ୍ଥାମାନଙ୍କୁ କର ରିହାତି ଦିଆଯାଉ। ୭-ଓଡ଼ିଆ ଭାଷାରେ ସମସ୍ତ ପ୍ରକାର ପୁସ୍ତକ ଉପଲବ୍ଧ କରାଯାଉ; ୮-କମ୍ପ୍ୟୁଟରର ଆସ୍କି ମୂଲ୍ୟ, ବୁଟିଙ୍ଗ ଆଦି ସମସ୍ତ ବ୍ୟବସ୍ଥାର ଓଡ଼ିଆକରଣ ହେଉ। ୯-ଓଡ଼ିଆ ସାହିତ୍ୟରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଙ୍କ ପାଇଁ ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ହେଉ।
ଏହାଦ୍ୱାରା ଓଡ଼ିଆ ଭାଷା ଆପେ ଆପେ ଉଚ୍ଚ ଶ୍ରେଣୀର ଅର୍ଥାତ ସମ୍ଭାନ୍ତ ଶ୍ରେଣୀର ଭାଷା ହୋଇଯିବ ଓ ସମସ୍ତେ ଆଗ୍ରହର ସହିତ ଓଡ଼ିଆକୁ ଗ୍ରହଣ କରିନେବା ପାଇଁ ପରିବେଶ ସୃଷ୍ଟି ହେବ। କନିକା ରାଜା ଥିଲେ ବୋଲି ସୁଯୋଗ ଦେଖି ଏପରି ପରିବେଶ ସୃଷ୍ଟି କଲେ ଯେ ଓଡ଼ିଆ ଭାଷାକୁ ନେଇ ଏକ ସ୍ବତନ୍ତ୍ର ପ୍ରଦେଶ ସୃଷ୍ଟି ହେଲା; ଯାହାକୁ ତାଙ୍କର କଠୋର ବିରୋଧୀମାନେ ମଧ୍ୟ ସ୍ବୀକାର କରିଛନ୍ତି।
ଗଙ୍ଗେଶ୍ୱରଗଡ଼, କୁରାଙ୍ଗ, କଟକ, ମୋ-୯୯୩୭୪୪୮୫୩୧