ଟ୍ରୋଲ୍‌ ପରେ ଜ୍ୟାକଲିନ କହିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବୟ ଫ୍ରେଣ୍ଡ ସୁକେଶଙ୍କୁ ଇଡି ଗିରଫ କରିବା ପରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ନାନା ପ୍ରଶ୍ନ ଉଠିଛି । ସୁକେଶଙ୍କ ନାମରେ ୨୦୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗ ହୋଇଥିବା ବେଳେ ସେ ଜ୍ୟାକଲିନଙ୍କୁ ଅନେକ ଦାମି ଉପହାର ଦେଇଥିବା ନେଇ ସେ ମଧ୍ୟ ତଦନ୍ତ ପରିସରଭୂକ୍ତ ହୋଇଥିଲେ। ତେବେ ଏହାକୁ ନେଇ ବିଗତ କିଛିଦିନ ହେବ ତାଙ୍କୁ ଜୋରଦାର ଟ୍ରୋଲର ଶିକାର ହେବାକୁ ପଡୁଛି । ସୋସିଆଲ ମିଡିଆରେ ତାଙ୍କୁ ନେଇ ଅନେକ ମିମ ପ୍ରସ୍ତୁତ କରାଯାଉଛି । ତେବେ ଏହା ଦ୍ୱାରା ସେ ଆଦୌ ପ୍ରଭାବିତ ହୁଅନ୍ତି ନାହିଁ ବୋଲି କହିଛନ୍ତି ।
ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଶୋ’ ‘ସେପ ଅଫ ୟୁ’ରେ ସାମିଲ ହୋଇ ଜ୍ୟାକଲିନ କହିଛନ୍ତି, ମୁଁ ଏତେ ବର୍ଷ ବଲିଉଡରେ କାମ କରି ଏହା ଶିଖିଛି ଯେ, ସୋସିଆଲ ମିଡିଆରେ ଟ୍ରୋଲରେ ପ୍ରଭାବିତ ହୋଇ କେହି ବି କେବେ ନିଜକୁ ଭୁଲ ଭାବିବା ଉଚିତ ନୁହେଁ । ଯିଏ ତୁମକୁ ଟ୍ରୋଲ କରୁଛନ୍ତି ସେମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିବା କଥା । ନିଜକୁ ସେମାନଙ୍କ ଭଳି କରି ପ୍ରତିକ୍ରିୟା ଦେବା ଠିକ ନୁହେଁ । ନିଜ କ୍ରୋଧକୁ ଆୟତ୍ତରେ ରଖିବା ସବୁଠାରୁ ଅଧିକ ଜରୁରୀ । ଅନେକ ଥର ଆମେ ରାଗରେ ଆସି ଅନେକ କିଛି ଲେଖିଦେଉ କିମ୍ବା କହିଦେଉ, କିନ୍ତୁ ତାହା ପରବର୍ତ୍ତୀ ସମୟରେ ଯୁକ୍ତିତର୍କର ରୂପ ନିଏ । ଏସବୁ କେତେବେଳେ ହୋଇଯାଏ ଆମେ ଜାଣିପାରୁନାହିଁ । ଏଣୁ ସବୁବେଳେ ନିଜ କ୍ରୋଧ ଉପରେ ଆୟତ୍ତ ରଖିବା ଆବଶ୍ୟକ ବୋଲି ଜ୍ୟାକଲିନ୍‌ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୋସିଆଲ ମିଡିଆ ଟ୍ରୋଲ ଖୁବ ସହଜରେ ତୁମର ଏକ ଖରାପ ଛବି ସୃଷ୍ଟି କରିପାରେ । କିନ୍ତୁ ଏଥିରେ ମାନସିକ ସ୍ତରରେ ଭାଙ୍ଗିପଡ଼ିବା ଠିକ୍‌ ନୁହେଁ ।

Share