ପୋତି ହୋଇପଡ଼ିଛି ଦଶମୌଜା କେନାଲ

ତିହିଡ଼,୨୫।୬(ସଞ୍ଜିତ ବଳ)ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତର ଚାଷୀମାନଙ୍କର ଏକମାତ୍ର ଭରସା ହେଉଛି ଦଶମୌଜା କେନାଲ। ଧାନଚାଷ ସମୟରେ ଏବଂ ବନ୍ୟା ପରିସ୍ଥିତିରେ ସହାୟକ ହୋଇଥାଏ। ମାତ୍ର ଦୀର୍ଘବର୍ଷ ହେଲା କେନାଲ ସଂସ୍କାର ନ ହେବା ଯୋଗୁ ପୋତି ହୋଇପଡ଼ିଛି। କେନାଲ ସଂସ୍କାର ନ ହେଲେ ତିହିଡ଼ି ବ୍ଲକର ୭ ଏବଂ ଭଦ୍ରକ ବ୍ଲକର ୨ ମୋଟ ୯ ପଞ୍ଚାୟତର ଚାଷୀ ପାଣି ପାଇଁ ଦୁର୍ଦ୍ଦଶା ଭୋଗିବେ। ଖରିଫ ଧାନଚାଷ ପ୍ରଭାବିତ ହେବ। ଫଳରେ ଧାନ ଉତ୍ପାଦନ ହ୍ରାସ ହେବାର ଆଶଙ୍କା ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଜଳସେଚନ ବିଭାଗ ଅଧୀନରେ ଥିବା ଦଶମୌଜା କେନାଲ ସାଳନ୍ଦୀ ନଦୀର ତେମୁହଁାଣୀରୁ ବାହାରି ଭଦ୍ରକ ବ୍ଲକର ବେନ୍ତାଳ ଓ କେଦାରପୁର, ତିହିଡ଼ି ବ୍ଲକର ଗୁଆମାଳ, ତାଳପଦା, ମୁକୁନ୍ଦପୁର, ଭାଟପଡ଼ା, ଫତେପୁର, କୋହ୍ଲ ଓ ସିନ୍ଦୋଳ ପଞ୍ଚାୟତ ମଧ୍ୟ ଦେଇ ଯାଇଛି। ଏସବୁ ପଞ୍ଚାୟତର ଚାଷଜମି ଏହି କେନାଲରୁ ରିଆନାଳ ମାଧ୍ୟମରେ ଜଳସେଚିତ ହୋଇଥାଏ। ଜଳସେଚନର ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଖରିଫ ଧାନଚାଷ ସମୟରେ ଏହି କେନାଲ ପାଣି ଉପରେ ଚାଷୀମାନେ ନିର୍ଭର କରନ୍ତି। ସେହିପରି ଅଧିକ ବର୍ଷା ହୋଇ ବନ୍ୟା ସ୍ଥିତି ଉପୁଜିଲେ ପାଣି ଉକ୍ତ କେନାଲ ମଧ୍ୟ ଦେଇ ନିଷ୍କାସନ ହୋଇଥାଏ। ମାତ୍ର ସାଳନ୍ଦୀ ଜଳସେଚନ ବିଭାଗ କର୍ତ୍ତୃପକ୍ଷ ଖରିଫ ଧାନ ଚାଷ ପୂର୍ବରୁ ନାମକୁମାତ୍ର କେନାଲରୁ ଦଳ ସଫା କରାଇ ନିଜର ଦାୟିତ୍ୱ ସମ୍ପନ୍ନ କରିଥାନ୍ତି। ଫଳରେ କେନାଲ ପୋତି ହେବା ସହ ଦଳ ଓ ଅନାବନା ଘାସରେ ପରିପୂର୍ଣ୍ଣ ହୋଇଥିବାରୁ ଏହାକୁ ଠିକ୍‌ ରୂପେ ସଂସ୍କାର କରା ନ ଗଲେ ପାଣି ତଳମୁଣ୍ଡରେ ଥିବା ଚାଷଜମିରେ ପହଞ୍ଚତ୍ବା କଷ୍ଟସାଧ୍ୟ ହେବ ବୋଲି ସ୍ଥାନୀୟ ଅଞ୍ଚଳର ଚାଷୀମାନେ ପ୍ରକାଶ କରିଛନ୍ତି।
୨୦୧୯ରେ କେନାଲର ଆଡ଼ିବନ୍ଧ ୨ଟି ପର୍ଯ୍ୟାୟରେ ନିର୍ମାଣ କରାଯାଇଥିଲା। ଦୂରରୁ ମାଟି ଆଣି ଆଡ଼ିବନ୍ଧ ନିର୍ମାଣର ନିୟମ ଥିବାବେଳେ କେନାଲରୁ ମାଟି ଉଠାଯାଇ ବନ୍ଧ ନିର୍ମାଣ କରାଯାଇଥିବାରୁ କେତେକ ସ୍ଥାନରେ ଏହା ଧସିଯାଇ କେନାଲକୁ ପୋତି ପକାଇଛି। ଏଥିଯୋଗୁ ଆଡ଼ିବନ୍ଧ ଦୁର୍ବଳ ହେବା ସହ ଘାଇ ସୃଷ୍ଟି ହୋଇଛି। ଏହାକୁ ମରାମତି କରା ନ ଗଲେ କେନାଲ ପାଣି ଚାଷଜମିକୁ ନଷ୍ଟ କରିବା ଆଶଙ୍କା ଉପୁଜିଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ କେନାଲକୁ ଖୁବ୍‌ଶୀଘ୍ର ସଂସ୍କାର କରିବା ସହ ଆଡ଼ିବନ୍ଧ ମରାମତି ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୀବ ଜେନାଙ୍କୁ ପଚାରିବାରୁ କେନାଲ ସଂସ୍କାର ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Share