Advertisement

୧୧ରେ ଡ୍ରିମ୍‌ସର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୮।୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଟକ ନିକଟସ୍ଥ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ୨୦୨୫ ଜାନୁୟାରୀ ୧୧ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ ସହ ଅଧ୍ୟକ୍ଷ ଇଂ. ଦୁର୍ଗାପ୍ରସାଦ ରଥ, ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ନିର୍ଦ୍ଦେଶିକା (ସମନ୍ବୟ) ଚିନ୍ମୟୀ ରଥ, ବୋର୍ଡ ଅଫ୍‌ ଗଭର୍ନର ସଦସ୍ୟ ବିଧାୟକ ଛବି ମଲ୍ଲିକ, ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ, ପ୍ରଫେସର ଡା. ଶକ୍ତି ପ୍ରସାଦ ଦାସ, ଇଂ. ଡ. ପ୍ରଭାକର ସ୍ବାଇଁ, ପ୍ରଫେସର ଡ. ବିଜୟାନନ୍ଦ ସିଂ, ଇଂ. ଅଶୋକ କୁମାର ବାସାଙ୍କ ସମେତ ବୋର୍ଡ ଅଫ୍‌ ମ୍ୟାନେଜମେଣ୍ଟ ଏବଂ ଏକାଡେମିକ୍‌ କାଉନ୍‌ସିଲର ସମସ୍ତ ସଦସ୍ୟ ମଧ୍ୟ ଯୋଗ ଦେବେ।
ଏହି ଅବସରରେ ସମାଜ ଓ ରାଷ୍ଟ୍ର ନିର୍ମାଣରେ ଉତ୍ସର୍ଗୀକୃତ ଜୀବନବ୍ୟାପୀ ସାଧନା ନିମନ୍ତେ ବିଶିଷ୍ଟ ଗାନ୍ଧିବାଦୀ ତଥା ସମାଜସେବୀ କୃଷ୍ଣା ମହାନ୍ତିଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ସମ୍ମାନସୂଚକ ଡକ୍ଟରେଟ୍‌’ ଉପାଧି ପ୍ରଦାନ କରାଯିବ। ଏଥିସହିତ ବିଭିନ୍ନ ବିଭାଗରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କୁ ପ୍ରମାଣପତ୍ର ଓ ସର୍ବୋଚ୍ଚ ନମ୍ବର ରଖିଥିବା ଶିକ୍ଷାର୍ଥୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ।
ସୂଚନାଯୋଗ୍ୟ, ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ରାଷ୍ଟ୍ରୀୟ ଶୋକ ପାଳନ ଯୋଗୁ ଡିସେମ୍ବର ୨୭ରେ ଅନୁଷ୍ଠିତ ହେବାକୁ ଥିବା ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ସ୍ଥଗିତ ରହିଥିବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରେସ୍‌ ଇସ୍ତାହାରରେ ସୂଚନା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel