୪ ଘଣ୍ଟାରେ ଚନ୍ଦ୍ରର ୫୦ ହଜାର ଫଟୋ ଉଠାଇ ଚର୍ଚ୍ଚାରେ ୧୬ ବର୍ଷର ବାଳକ

ପୁନେ,୨୦।୫: ନାସା ଏବଂ ଇସ୍ରୋ ପରି ସ୍ପେସ ଏଜେନ୍ସିଗୁଡ଼ିକ ଚନ୍ଦ୍ରର ଅନେକ ଫଟୋ ଶେୟାର କରନ୍ତି। କିନ୍ତୁ ପୁନେର ଜଣେ ୧୬ ବର୍ଷର ବାଳକ ଚନ୍ଦ୍ରର ଫଟୋ ଉଠାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଫଟୋ ଦେଖିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ପୁନେ ନିବାସୀ ପ୍ରଥମେଶ ଜାଜୁ ଚନ୍ଦ୍ରର ଫଟୋ ଅତି ନିକଟରୁ ଉଠାଇଥିବା ଭଳି ଦେଖାଯାଉଛି। ପ୍ରଥମେଶଙ୍କ ଦ୍ୱାରା ନିଆଯାଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଚନ୍ଦ୍ରର ଏହି ଫଟୋଗୁଡ଼ିକୁ ଉଠାଇବା ପାଇଁ ପ୍ରଥମେଶ କଠିନ ପରିଶ୍ରମ କରିଛନ୍ତି। ଚନ୍ଦ୍ରର ଅତି ସ୍ପଷ୍ଟ ଏବଂ ରଙ୍ଗୀନ ଫଟୋ କ୍ଲିକ କରିଥିବା ପ୍ରଥମେଶ ୫୦ ହଜାରରୁ ଅଧିକ ଫଟୋ ଉଠାଇ ୧୮୬ ଗିଗାବାଇଟ ଡାଟା ବ୍ୟବହାର କରିଛନ୍ତି। ପ୍ରଥମେଶ କହିଛନ୍ତି ଯେ, ସେ ଏହି ଫଟୋଗୁଡ଼ିକୁ ମେ ୩ରେ ରାତି ୧ଟା ସମୟରେ କ୍ଲିକ କରିଛନ୍ତି। ସେ ୪ ଘଣ୍ଟା ଧରି ଭିଡିଓ ଏବଂ ଫଟୋ କଏଦ କରିଥିଲେ। ଏହି ସମୟରେ, ସେ ୫୦ ହଜାରରୁ ଅଧିକ ଫଟୋ ନେଇଥିଲେ। ସମସ୍ତ ଫଟୋକୁ ଏକତ୍ର କରି ଚନ୍ଦ୍ରର ସୂକ୍ଷ୍ମ ବିବରଣୀ ପ୍ରସ୍ତୁତ କରି ଚାହୁଁଛନ୍ତି ପ୍ରଥମେଶ। ଭବିଷ୍ୟତରେ ସେ ଜଣେ ଜ୍ୟୋର୍ତିବିଜ୍ଞାନୀ ହେବାକୁ ଚାହୁଁଥିବା ସେ କହିଛନ୍ତି।

Share