ଆସନ୍ତା ୨୨ରୁ ବିଧାନସଭା ଅଧିବେଶନ, ୨୫ରେ ବଜେଟ୍‌

ଭୁବନେଶ୍ୱର,୫।୭: ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ଥିବା ବେଳେ ଜୁଲାଇ ୨୫ରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ତେବେ ରାଜ୍ୟରେ ନୂଆ ମୋହନ ମାଝୀ ସରକାରଙ୍କର ଏହା ପ୍ରଥମ ବିଧାନସଭା ଅଧିବେଶନ ହେବ ବୋଲି ଜଣାପଡ଼ିଛି ।

ଶୁକ୍ରବାର ବିଧାନସଭା ସଚିବାଳୟ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ, ଜୁଲାଇ ୨୨ରେ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ । ଏହାପରେ ୨୩ରେ ଉପବାଚସ୍ପତି ନିର୍ବାଚନ ଘୋଷଣା ଓ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ୨ଦିନ ଧରି ଆଲୋଚନା ହେବ । ୨୪ତାରିଖରେ ଉପବାଚସ୍ପତି ନିର୍ବାଚନ ଶେଷ ହେବ । ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଅର୍ଥମନ୍ତ୍ରୀ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପିତ କରିବାର କାର୍ଯ୍ୟକ୍ରମ ରହିଛି।

ସେହିଭଳି ଜୁଲାଇ ୨୯ରୁ ୩୧ତାରିଖ ପର୍ଯ୍ୟନ୍ତ ବଜେଟ ଉପରେ ସାଧାରଣ ଆଲୋଚନା ହେବ। ଅଗଷ୍ଟ ପହିଲାରୁ ୧୯ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ବନ୍ଦ ରହିବ । ଦ୍ୱିତୀୟ ପର୍ଯ୍ୟାୟରେ ବିଧାନସଭାର ଅଧିବେଶନ ଅଗଷ୍ଟ ୨୦ରୁ ଆରମ୍ଭ ହୋଇ ବିଭାଗୀୟ ବଜେଟ ଅନୁଦାନ ଉପରେ ଆଲୋଚନା ହେବ । ସେପ୍ଟେମ୍ବର ୧୦ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍‌ ଉପସ୍ଥାପିତ ହେବ । ସେପ୍ଟେମ୍ବର ୧୨ ଓ ୧୩ତାରିଖରେ ପ୍ରାଇଭେଟ ମେମ୍ବର୍ସ ବିଲ ପାଇଁ ଉଦ୍ଦିଷ୍ଟ ରହିଛି । ଏହି ଅଧିବେଶନ ମୋଟ ୨୭ଟି ଦିନ ବସିବାର ଧାର୍ଯ୍ୟ ହୋଇଛି ।

କହିରଖୁଛୁ ରାଜ୍ୟରେ ପ୍ରଥମ ଭାଜପା ସରକାରର ଏହା ପ୍ରଥମ ବଜେଟ ଅଧିବେଶନ ହେବ । ଏଣୁ ନୂଆ ସରକାର ନିଜର ପ୍ରଥମ ବଜେଟରେ କେଉଁସବୁ ପ୍ରସଙ୍ଗକୁ ସ୍ଥାନିତ କରୁଛନ୍ତି ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିବ।